ଓଡିଶା

odisha

By

Published : Jan 6, 2023, 7:47 PM IST

ETV Bharat / sports

Ranji Trophy: ଶାନ୍ତନୁଙ୍କ ଦ୍ଵିଶତକ, ଓଡିଶାକୁ ମିଳିଲା 3 ପଏଣ୍ଟ

କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଓଡିଶା ବନାମ ନାଗଲାଣ୍ଡର ରଣଜୀ ଟ୍ରଫି ମ୍ୟାଚ ଅମୀମାଂସିତ ରହିଛି । ପ୍ରଥମ ଇନିଂସରେ ଓଡିଶା ୧୦୨ ରନ ଆଗୁଆ ରହିଥିବାରୁ ଦଳକୁ ୩ ପଏଣ୍ଟ ମିଳିଛି । ଅଧିକ ପଢନ୍ତୁ

ଓଡିଶା ବନାମ ନାଗଲାଣ୍ଡ ରଣଜୀ ମ୍ୟାଚ
ଓଡିଶା ବନାମ ନାଗଲାଣ୍ଡ ରଣଜୀ ମ୍ୟାଚ

କଟକ: ଅମୀମାଂସିତ ରହିଲା ଓଡିଶା ବନାମ ନାଗଲାଣ୍ଡର ରଣଜୀ ଟ୍ରଫି ମ୍ୟାଚ । କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ରଣଜୀ ଟ୍ରଫି ମ୍ୟାଚରେ ଓଡିଶାର ଜବରଦସ୍ତ ପ୍ରଦର୍ଶନ ରହିଥିଲା । ପ୍ରଥମେ ଦମଦାର ବୋଲିଂ କରିବା ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ଓଡିଶା ବ୍ୟାଟର । ଓଡିଶା ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୫୩୫ ରନ କରି ପାଳି ଘୋଷଣା କରିଥିଲା । ମ୍ୟାଚ ଅମୀମାଂସିତ ରହିବା ସତ୍ତ୍ବେ ପ୍ରଥମ ଇନିଂସରେ ଓଡିଶା ୧୦୨ ରନ ଆଗୁଆ ରହିଥିବାରୁ ଦଳକୁ ୩ ପଏଣ୍ଟ ମିଳିଛି । ଏହି ମ୍ୟାଚରେ ଦ୍ବିଶକୀୟ ଇନିଂସ ଖେଳିଥିବା ଶାନ୍ତନୁ ମିଶ୍ର ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଓଡିଶା ଟସ ଜିତି ଅଧିନାୟକ ଶୁଭ୍ରାଂଶୁ ସେନାପତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ନାଗାଲାଣ୍ଡ । ପ୍ରଥମ ଇନିଂସରେ ୪୩୩ ରନ କରି ଅଲ ଆଉଟ ହୋଇଥିଲା ନାଗାଲାଣ୍ଡ । ବୋଲରଙ୍କ ଘାତକ ବୋଲିଂରେ ଆତ୍ମସର୍ମପଣ କରିଥିଲେ ନାଗାଲାଣ୍ଡ ବ୍ୟାଟର । ଆରମ୍ଭରୁ ଓପନିଂ ଯୋଡି ଫେଲ ମାରିଥିଲା । ଦୁଇ ଓପନର ୟୁଗନ୍ଧର ସିଂହ ଏବଂ ଜୋଶୁଆ ଓଜୁକୁମ କ୍ରମଶଃ ୨୦ ରନ ଓ ୭ ରନ କରି ସଅଳ ପାଭଲିୟନ ଫେରିଥିଲେ । ଏହା ପରେ ଏସ ମୁନ୍ଧେ ଓ ଚେତନ ବିସ୍ତଙ୍କ ଇନିଂସ ବଳରେ ଦଳୀୟ ସ୍କୋର ଆଗକୁ ବଢିଥିଲା । ଚେତନ ବିସ୍ତ ସର୍ବାଧିକ ୧୨୯ ରନର ଇନିଂସ ଖେଳିଥିଲେ । ଏସ ମୁନ୍ଧେ ୬୬ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେହିପରି ଏଚ ଝିମୋମି 5୯ ରନ ଏସ ରୁପେରୋ ୭୧ ରନ, ନାଘୋ ଚିସ୍ତି ୩୨ ରନ, ସି ହୋପଙ୍ଗକ୍ୟୁ ୧୭ ରନ କରିଥିଲେ । ସୂର୍ଯ୍ୟକାନ୍ତ ପ୍ରଧାନ ଓ ତାରିଣୀ ସା ସର୍ବାଧିକ ୩ ଟି ୱିକେଟ ନେଇଥିଲେ । ସେହିପରି ଜୟନ୍ତ ବେହେରା ୨ ୱିକେଟ ନେଇଥିବା ବେଳେ ଶାନ୍ତନୁ ମିଶ୍ର ଗୋଟିଏ ୱିକେଟ ହାତେଇଥିଲେ ।

ସେପଟେ ପ୍ରଥମ ଇନିଂସରେ ଓଡିଶା ଆରମ୍ଭରୁ ଚମତ୍କାର ପାଳି ଆରମ୍ଭ କରିଥିଲା । ପ୍ରଥମ ଇନିଂସରେ ଓଡିଶା ୮ ୱିକେଟ ହରାଇ ୫୩୫ ରନ କରିଥିଲା । ଶାନ୍ତନୁ ମିଶ୍ରଙ୍କ ଦ୍ବିଶତକ ଏବଂ ପ୍ରୟାସ ସିଂହଙ୍କ ଶତକ ବଳରେ ଦଳ ୫୦୦ ରନ ଅତିକ୍ରମ କରିବାରେ ସକ୍ଷମ ହୋଇପାରିଥିଲା । ପ୍ରଥମ ୱିକେଟ ବେଳକୁ ଓପନିଂ ଯୋଡି ଦଳୀୟ ସ୍କୋର ପାଇଁ ୧୨୮ ରନ ସଂଗ୍ରହ କରିଥିଲା । ଓପନର ଅନୁରାଗ ଷଡଙ୍ଗୀ ୧୬ ଟି ଚୌକା ବଳରେ ୮୪ ରନ କରି ଆଉଟ ହୋଇଥିଲେ । ହେଲେ ମଇଦାନରେ ଦୃଢ ବ୍ୟାଟିଂ ଜାରି ରଖିଥାନ୍ତି ଓପନର ଶାନ୍ତନୁ ମିଶ୍ର । ସେ ୨୧ଟି ଚୌକା ବଳରେ ୨୦୦ ରନ କରି ଅପରାଜିତ ରହିଥିଲେ । ସେହିପରି ପ୍ରୟାସ ସିଂହ ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ । ସେ ୧୫ ଟି ଚୌକା ଓ ଗୋଟିଏ ଛକା ସହାୟତରେ ୧୦୪ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ସ୍ବସ୍ତିକ ଶାମଲ ଖାତା ଖୋଲିବା ପୂର୍ବରୁ ଶୂନରେ ଆଉଟ ହୋଇ ପାଭଲିୟନ ଫେରିଥିଲେ । ଅଧିନାୟକ ଶୁଭ୍ରାଂଶୁ ସେନାପତି ୬୭ ରନ, କାର୍ତ୍ତିକ ବିଶ୍ବାଳ ୧୨, ଗୋବିନ୍ଦ ପୋଦାର ୪୧ ରନ କରିଥିଲେ । ନାଗାଲାଣ୍ଡର ଆକାଶ ସିଂହ ସର୍ବାଧିକ ୪ ଟି ୱିକେଟ ନେଇଥିବା ବେଳେ ଅଧିନାୟକ ଜୋନାଥନ ୩ ଟି ୱିକେଟ ଓ ଆଇ ଲେମତୁର ଗୋଟିଏ ୱିକେଟ ନେଇଛନ୍ତି । ପ୍ରଥମ ପାଳିରେ 102 ରନର ଅଗ୍ରଣୀ ଲାଭ କରିଥିଲା ଓଡିଶା । ତେବେ ଦ୍ବିତୀୟ ପାଳିରେ ନାଗଲାଣ୍ଡ ଏକ ୱିକେଟ ହରାଇ 120 କରିଥିବା ବେଳେ ଉଭୟ ଟିମର ସହମତି କ୍ରମରେ ମ୍ୟାଚ କୁ ଡ୍ର ଭାବରେ ଘୋଷଣା କରାଯାଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details