ମୁମ୍ବାଇ: ଆଇପିଏଲ୍ 2024 ଯେତିକି ପାଖେଇ ଆସୁଛି, ଏହାକୁ ନେଇ ଚର୍ଚ୍ଚା ସେତିକି ବଢ଼ିବାରେ ଲାଗିଛି । ହେଲେ ସବୁଠାରୁ ବେଶୀ ଚର୍ଚ୍ଚାରେ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡ୍ । ଯଦିଓ ଟଙ୍କା ତୁଳନାରେ ଆର୍ସିବି ଓ ମୁମ୍ବାଇ ମଧ୍ୟରେ କାମେରନ ଗ୍ରୀନଙ୍କ ଟ୍ରେଡ୍ ସବୁଠାରୁ ଦାମୀ, ହେଲେ କୁହାଯାଉଛି ଆଇପିଏଲ୍ ଇତିହାସରେ ପାଣ୍ଡ୍ୟାଙ୍କ ଟ୍ରେଡ୍ ସବୁଠାରୁ ବଡ଼ । ଏହାକୁ ନେଇ ପ୍ରଶଂସକ ମୁମ୍ବାଇକୁ ସମାଲୋଚନା କରିବା ଓ ଅନ୍ଫଲୋ କରିବା ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି । ଏହାରି ଭିତରେ ଆଉ ଏକ ରିପୋର୍ଟ ଆସିଛି, ଯାହା ପ୍ରଶଂସକଙ୍କୁ ଆହୁରି ଖପ୍ପା କରିଛି ।
ଆଇପିଏଲ୍ ଅକ୍ସନ ପୂର୍ବରୁ ଖୋଲିଥିଲା ଟ୍ରେଡ୍ ୱିଣ୍ଡୋ । ଯେଉଁଥିରେ ଏକାଧିକ ବଡ଼ ଟ୍ରେଡ୍ ଦେଖିବାକୁ ମିଳିଥିଲା । ହେଲେ ସବୁଠାରୁ ଚର୍ଚ୍ଚାରେ ଥିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡ୍ । ଗୁଜୁରାଟ ଟାଇଟନ୍ସ ଠାରୁ 15 କୋଟି ଟଙ୍କା ପାଇଁ ହାର୍ଦ୍ଦିକଙ୍କୁ ମନି ଟ୍ରେଡ୍ରେ ଆଣିଥିଲା ମୁମ୍ବାଇ । ଯେଉଁଥିପାଇଁ ବେଶ ସମାଲୋଚିତ ହୋଇଥିଲା ଫ୍ରାଞ୍ଚାଇଜ୍ । ନିକଟରେ ରୋହିତଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିବା ପରେ ବଢ଼ିଲା ଅଡ଼ୁଆ । ପ୍ରଶଂସକଙ୍କର କ୍ରମାଗତ ଆକ୍ରୋଶର ଶିକାର ହେଲା ମୁମ୍ବାଇ ଇଣ୍ଡିଆନ୍ସ । ସୋସିଆଲ୍ ମିଡିଆରେ ମୁମ୍ବାଇ ପ୍ରାୟ 9 ଲକ୍ଷ ପ୍ରଶଂସକଙ୍କୁ ହରାଇ ସାରିଲାଣି । ଏବେ ମଧ୍ୟ କିଛି କିଛି ଦଳକୁ ଅନ୍ଫଲୋ କରିବା ଜାରି ରଖିଛନ୍ତି । କାରଣ ପାଣ୍ଡ୍ୟାଙ୍କ ଠାରୁ ଦଳକୁ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ ଭଳି 5ଟି ଆଇପିଏଲ୍ ସିଜିନ୍ରେ ବିଜୟୀ କରାଇଥିବା ରୋହିତ ଶର୍ମା ଅଧିନାୟକ ଭାବେ ପ୍ରଶଂସକଙ୍କ ଅଧିକ ପସନ୍ଦ ଥିଲେ ।