ହାଇଦ୍ରାବାଦ:ଚଳିତ ଆଇପିଏଲ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ହରାଇ ରେକର୍ଡ ବିଜୟ ହାସଲ କରିଛି ଚମ୍ପିଆନ ଟିମ ଚେନ୍ନାଇ ସୁପର କିଙ୍ଗସ । ଏ ନେଇ ଫ୍ୟାନଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରି । ଏହି ବିଜୟ ସହିତ CSK ପଞ୍ଚମ ଥର ଟାଇଟଲ ହାତେଇଛି । ବିଜୟ ପରେ ବିଶେଷ କରି ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଫ୍ୟାନ୍ ବେଶ୍ ଉତ୍ସାହିତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । IPL ୨୦୨୩ରେ ବିଜୟକୁ ନେଇ ଧୋନି ଏବେ ବେଶ ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଠି ଧୋନି ପବିତ୍ର ଭଗବତ ଗୀତା ସହିତ ନଜର ଆସିଛନ୍ତି । ହାତରେ ପବିତ୍ର ଗୀତାକୁ ଧରି ପୋଜ ଦେଇଛନ୍ତି ଧୋନି ।
ଧୋନି କାର ଭିତରେ ବସିଥିବା ବେଳେ ହାତରେ ପବିତ୍ର ଭାଗବତ ଗୀତା ବହି ଧରିଥିଲେ । ଆଣ୍ଠୁ ସର୍ଜରୀ ପୂର୍ବରୁ ଧୋନିଙ୍କ ଏହି ଫଟୋ ଖୁବ ଭାଇରାଲ ହୋଇଥିଲା । ଆଣ୍ଠୁରେ ଆଘାତର ପ୍ରଭାବ ଧୋନିଂଙ୍କ ବ୍ୟାଟିଂ ଉପରେ ପଡ଼ିଥିଲା । ଆଇପିଏଲର ପୁରା ସିଜନ ମଧ୍ୟରେ ଏହି ଆଘାତ ସହିତ ସେ ମ୍ୟାଚ ଖେଳିଥିଲେ ଓ କ୍ୟାପ୍ଟେନ୍ସି କରିଥିଲେ । ଏହି ଆଘାତ ତାଙ୍କ କିପିଂ ଉପରେ ସେତେଟା ପ୍ରଭାବ ପକାଇନଥିବା ବେଳେ ବ୍ୟାଟିଂରେ ପ୍ରଭାବ ପକାଇଥିଲା । ଏପରିକି ରନ୍ ନେବାରେ ମଧ୍ୟ କଷ୍ଟ ଅନୁଭବ କରିଥିଲେ ଧୋନି । ଏ ନେଇ ଚେନ୍ନାଇ ସିଇଓ କାଶୀ ବିଶ୍ବନାଥନ ସୂଚନା ଦେଇଥିଲେ । ଭାଇରାଲ ଫଟୋ ସମ୍ପର୍କରେ ଆଲୋଚନା କଲେ ଏହି ଫଟୋଟି ମୁମ୍ବାଇର ବୋଲି କୁହାଯାଉଛି । ଧୋନି ଆଣ୍ଠୁ ସର୍ଜରୀ ଲାଗି ମୁମ୍ବାଇରେ ଥିବା ବେଳେ ଏହି ଫଟୋ ସେଠାରେ କ୍ଲିକ ହୋଇଥିବା ରିପୋର୍ଟରୁ ସୂଚନା ମିଳିଛି ।