ହାଇଦ୍ରାବାଦ: ଜାରି ରହିଛି ହାଇ ପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ୨୦୨୩ । ତେବେ ରବିବାର ଡବଲ ହେଡର ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିଥିଲା ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍ରେ ୭୨ ରନର ବଡ଼ ସ୍କୋରରେ ଭୁବନେଶ୍ବର କୁମାରଙ୍କ ହାଇଦ୍ରାବାଦକୁ ହରାଇଥିଲା ସଞ୍ଜୁ ସାମସନ୍ଙ୍କ ରାଜସ୍ଥାନ । ଏହି ମ୍ୟାଚ୍ରେ ୪ ଓଭର ବୋଲିଂ କରି ମାତ୍ର ୧୭ ରନ ବ୍ୟୟରେ ୪ଟି ୱିକେଟ ହାସଲ କରିଥିଲେ ଚହଲ । ତେବେ ଏହି ମ୍ୟାଚ୍ରେ ଏକ ନୂଆ ରେକର୍ଡ ହାସଲ କରିଛନ୍ତି ଏହି ଭାରତୀୟ ସ୍ପିନର । ଏଥିରେ ମୟଙ୍କ ଅଗ୍ରୱାଲଙ୍କ ୱିକେଟ ନେବା ମାତ୍ରେ ହଣ ଟି୨୦ କ୍ରିକେଟରେ ୩୦୦ ୱିକେଟ ପୂରଣ କରିଥିଲେ ଚହଲ । ତେବେ ପ୍ରଥମ ଭାରତୀୟ ବୋଲର ଭାବେ ଏହି ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି ୟୁଜବେନ୍ଦ୍ର ଚହଲ । ମୟଙ୍କ ଅଗ୍ରୱାଲଙ୍କ ପରେ ସେ ହ୍ୟାରୀ ବ୍ରୁକ (୧୩), ଆଦିଲ ରସିଦ (୧୮) ଓ ହାଇଦ୍ରାବାଦ ଅଧିନାୟକ ଭୁବନେଶ୍ବର କୁମାର (୬)ଙ୍କୁ ପାଭିଲିୟନ ପଠାଇଥିଲେ ।
ତେବେ ସମୁଦାୟ ୨୬୫ ଟି୨୦ ମ୍ୟାଚ୍ ଖେଳି ଏହି ରେକର୍ଡ ନିଜ ନାମରେ କରିଛନ୍ତି ଭାରତୀୟ ସ୍ପିନର ୟୁଜି ଚାହଲ । ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ସମୁଦାୟ ୫ ୱିକେଟ ହରାଇ ୨୦୩ ରନର ବିଶାଳ ସ୍କୋର କରିଥିଲା । ୨୦୪ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ହାଇଦ୍ରାବଦ ବ୍ୟାଟରମାନେ ରାଜସ୍ଥାନ ବୋଲରଙ୍କ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୧ ରନରେ ହିଁ ଅଟକି ଯାଇଥିଲା । ଏହି ମ୍ୟାଚ୍ରେ ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ ହାତେଇଥିବା ବେଳେ ଜେଶନ ହୋଲ୍ଡର ଓ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ସେପଟେ ୱିକେଟ ରକ୍ଷକ ଭୂମିକାରେ ଥିବା ଅଧିନାୟକ ସଞ୍ଜୁ ସାମସନ ଚହଲଙ୍କ ବଲ୍ରେ ଷ୍ଟମ୍ପ୍ ଆଉଟ କରି ଆଦିଲ ରସିଦଙ୍କୁ ପାଭିଲିୟନ ଫେରାଇଥିଲେ । ତେବେ ଏହି ମ୍ୟାଚ୍ରେ ସବୁଠାରୁ ଦମଦାର ପ୍ରଦର୍ଶନ କରି ୪ ଓଭରରୁ କେବଳ ୧୭ ରନ ବ୍ୟୟରେ ୪ ୱିକେଟ ହାସଲ କରିଥିଲେ ଚହଲ ।