ହାଇଦ୍ରାବାଦ: ଶେଷ ପର୍ଯ୍ୟାୟରେ ଜାରି ରହିଛି ଆଇପିଏଲ ୨୦୨୩ । ଚଳିତ ସଂସ୍କରଣରେ କିଛି ଯୁବ ତାରକା ବେଶ ଚମକିଛନ୍ତି । ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଦର୍ଶକଙ୍କୁ ଆକୃଷ୍ଟ କରିବାରେ ରାଜସ୍ଥାନର ଯଶସ୍ବୀ ଜୟସ୍ବାଲ, ମୁମ୍ବାଇର ତିଲକ ବର୍ମା, ଚେନ୍ନାଇର ଋତୁରାଜ ଗାଏକୱାଡଙ୍କ ସମେତ ଆଗଧାଡ଼ିରେ ରହିଛନ୍ତି କୋଲକାତାର ରିଙ୍କୁ ସିଂହ । ତେବେ ଚଳିତ ସଂସ୍କରଣରେ ବେଶ ଆକର୍ଷଣୀୟ ପ୍ରଦର୍ଶନ ସତ୍ତ୍ୱେ ରିଙ୍କୁ ଏବେ ଟିମ ଇଣ୍ଡିଆରେ ଚୟନ ହେବାପାଇଁ ଚିନ୍ତିତ ନଥିବା କହିଛନ୍ତି । ସେ ଏବେ ଅଧିକ ଭଲ ପ୍ରଦର୍ଶନ ପାଇଁ କଠିନ ପରିଶ୍ରମ ଜାରି ରଖିବେ ବୋଲି କହିଛନ୍ତି ।
ଶନିବାର ରାତିରେ କୋଲକାତା ଓ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ପୁଣିଥରେ ଧୂଆଁଧାର ପ୍ରଦର୍ଶନ କରିଥିଲେ ରିଙ୍କୁ ସିଂହ । ମ୍ୟାଚ ଏକପ୍ରକାର କୋଲକାତା ହାତରୁ ଚାଲିଯାଇଥିବା ବେଳେ ଆକର୍ଷଣୀୟ ପାଳି ଖେଳି ମ୍ୟାଚ୍କୁ ଶେଷ ପର୍ଯ୍ୟନ୍ତ ନେଇଥିଲେ ରିଙ୍କୁ । ସେ ଶେଷ ୨ ଓଭରରେ ୪ ଚୌକା ଓ ୨ ଛକା ବଳରେ କୋଲକାତାକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ହେଲେ ଲକ୍ଷ୍ନୌଠାରୁ ମାତ୍ର ୧ ରନ ପଛରେ ରହିଯାଇଥିଲେ । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୭୬ ରନ ସ୍କୋର କରିଥିବା ବେଳେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୫ ରନ କରି ପ୍ଲେ ଅଫ ରେସରୁ ବିଦାୟ ନେଇଥିଲା କୋଲକାତା । କେବଳ ରିଙ୍କୁ ଏକାକୀ ୩୩ ବଲରୁ ଅପରାଜିତ ୬୭ ରନ ସଂଗ୍ରହ କରିଥିଲେ । ଚଳିତ ସିଜିନରେ ସେ ୧୪୯.୫୩ ଷ୍ଟ୍ରାଇକ ରେଟ୍ରେ ୪୭୪ ରନ କରିଛନ୍ତି ।