ଶାରଜାହ:ଟ୍ରିଫି ଜିତିବା ପାଇଁ ଦିଲ୍ଲୀ ଦେଖିଥିବା ସ୍ବପ୍ନ ଧୂଳିସାତ । ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରି ଆସୁଥିବା ଟିମର ସ୍ବପ୍ନ ଅଧୁରା ରହିଛି । ପ୍ଲେ-ଅଫ ପାଇଁ ଦୁଇଥର ସୁଯୋଗ ପାଇ ମଧ୍ୟ ଦିଲ୍ଲୀ ଦଳ ଫାଇନାଲରେ ପ୍ରବେଶ କରିପାରିନାହିଁ । ଚଳିତ ଆଇପିଏଲର ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ ଶେଷ ହୋଇଛି । କୋଲକାତା ନାଇଟ ରାଇଡର୍ସ ଠାରୁ ୩ ୱିକେଟରେ ପରାସ୍ତ ହୋଇଛି ଦିଲ୍ଲୀ । ବିଜୟ ସହିତ କୋଲକାତା ଫାଇନାଲରେ ପ୍ରବେଶ କରିଛି । ଏଲିମିନେଟରରୁ ଶେଷରେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି କୋଲକାତା ।
ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କୋଲକାତା । କୋଲକାତା ନାଇଟ ରାଇଡର୍ସର ଶୃଙ୍ଖଳିତ ବୋଲିଂ ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସର କୌଣସି ଖେଳାଳି ଅଧିକ ବଡ଼ ସଟ୍ ଖେଳିବାରେ ସକ୍ଷମ ହୋଇ ପାରିନଥିଲେ । ପ୍ରଥମ ୱିକେଟ ପାଇଁ ପୃଥ୍ବୀ ଶ ଓ ଶିଖର ଧାୱନ ୩୨ ରନ୍ ଭାଗିଦାରୀ କରିଥିଲେ । ଏହାପରେ ପୃଥ୍ବୀ ଶ'ଙ୍କୁ ୧୮ ରନ୍ରେ ଆଉଟ କରିଥିଲେ ବରୁଣ ଚକ୍ରବର୍ତ୍ତୀ । ମାର୍କସ ଷ୍ଟୋନିସ ଓ ଶିଖର ଧାୱନଙ୍କ ମଧ୍ୟରେ କିଛି ସମୟ ଭାଗିଦାରୀ ଦେଖିବାକୁ ମିଳିଥିଲା ।
ତେବେ ଦୁହେଁ କୌଣସି ବଡ଼ ସଟ୍ ଖେଳିବାରେ ସମର୍ଥ ହୋଇ ପାରିନଥିଲେ । ଷ୍ଟୋନିସ ମଧ୍ୟ ୧୮ ରନ୍ କରି ଶିଭମ ମାଭିଙ୍କ ଶିକାର ପାଲଟିଥିଲେ । ସେପଟେ ଶିଖର ଧାୱନ ଲଗାତାର ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ । ସେ ୩୯ଟି ବଲ୍ରେ ମାତ୍ର ୩୬ ରନ୍ ହିଁ କରିବାକୁ ସକ୍ଷମ ହୋଇଥିଲେ । ଦିଲ୍ଲୀ ପକ୍ଷରୁ ଶ୍ରେୟସ ଆୟର ଶେଷ ପର୍ଯ୍ୟନ୍ତ ପିଚ୍ରେ ରହି ଦଳୀୟ ସ୍କୋର୍କୁ ୧୩୫ ରନ୍ରେ ପହଞ୍ଚାଇଥିଲେ । ଏହାଛଡ଼ା ଆଉ ସମସ୍ତ ବ୍ୟାଟର ବଡ଼ ସଟ୍ ଖେଳିବା ଆଶାରେ ଆଉଟ ହୋଇ ପାଭେଲିୟନ ଫେରିଥିଲେ । କ୍ବାଲିଫାୟର ମ୍ୟାଚରେ କୋଲକାତାକୁ ୧୩୬ ରନ୍ ଟାର୍ଗେଟ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ ।