ନୂଆଦିଲ୍ଲୀ:ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ଚଳିତ ସିଜନରେ ଲିଗ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି 62 ତମ ମ୍ୟାଚ ଖେଳାଯିବ । ଏଥିରେ ଗୁଜୁରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ଘରୋଇ ମୈଦାନରେ ଖେଳିବ ଗୁଜୁରାଟ । ଘରୋଇ ଗ୍ରାଉଣ୍ଡରେ ହାଇଦ୍ରାବାଦକୁ ହରାଇ ଶୀର୍ଷ ସ୍ଥାନକୁ ବଜାୟ ଲକ୍ଷ୍ୟରେ ରହିଛି । ସେହିପରି ଆଜିର ମ୍ୟାଚ ସନରାଇଜର୍ସ ପାଇଁ ଶେଷ ସୁଯୋଗ ହୋଇପାରେ । ଏହି ମୁକାବିଲା ହାଇଦ୍ରାବାଦ ପାଇଁ କର ବା ମର ସଦୃଶ ହୋଇଛି ।
GT VS SRH:ପୂର୍ବ ବର୍ଷ ପରି ଚଳିତ ଆଇପିଏଲ ସିଜନରେ ଫୁଲ ଫର୍ମରେ ରହିଛି ଡିଫେଣ୍ଡି ଚମ୍ପିଆନ ଗୁଜୁରାଟ ଟାଇଟନ୍ସ । ମୋଟ 12ଟି ମ୍ୟାଚ ଖେଳି 8ଟିରେ ବିଜୟ ହାସଲ କରି ଟେବୁଲ ଟପରେ ରହିଛି ଟାଇଟନ୍ସ । ଆଜି ଘରୋଇ ମାଟିରେ ବିଜୟ ହାସଲ କରି ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ଦଳ । ଗୁଜୁରାଟର ରାସିଦ ଖାନ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବ ମ୍ୟାଚ ଗୁଡିକରେ ଅଲରାଉଣ୍ଡର ପ୍ରଦର୍ଶନ କରିଛନ୍ତି । ଆଜି ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି ।
ସେହିପରି ହାଇଦ୍ରାବାଦ ଏହି ମୁକାବିଲା ଜିତିବାକୁ ସବୁ ପ୍ରୟାସ କରିବ । ପ୍ଲେ ଅଫରେ ରହିବାକୁ ହେଲେ ଦଳକୁ ତାର ଶେଷ 3ଟି ମ୍ୟାଚ ଜିତିବାକୁ ହେବ । ସନରାଇଜର୍ସ 11ଟି ମ୍ୟାଚ ଖେଳି 4ଟିରେ ବିଜୟ ହାସଲ କରିଛି । ଗତବର୍ଷ ଦୁଇ ଦଳ ଦୁଇଥର ଭେଟିଥିଲେ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । ଦଳର ଟପ ଅର୍ଡର ବ୍ୟାଟିଂ ବିଫଳତା ରହିଛି । ଆଜି ସେ ତ୍ରୁଟି ସୁଧାରି ଦଳ ବିଜୟ ହାସଲ କରିବାକୁ ପ୍ରୟାସ କରିବ ।