ହାଇଦ୍ରାବାଦ: ଚଳିତ ଆଇପିଏଲ 2023ରେ ସୋମବାର କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ହାଇଦ୍ରାବାଦରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କେବଳ 144 ରନ ହିଁ କରିପାରିଥିଲା ଦିଲ୍ଲୀ । ତେବେ ଏହାକୁ ପିଛା କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ କେବଳ 137 ରନରେ ଅଟକି ଯାଇଥିଲା ହାଇଦ୍ରାବାଦ । ଫଳରେ ଚଳିତ ସଂସ୍କରଣରେ 7 ରନରେ ନିଜର ଦ୍ବିତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଲରାଉଣ୍ଡ ପ୍ରଦର୍ଶନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ଅକ୍ଷର ପଟେଲ ।
ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ଅଧିନାୟକ ଡେଭିଡ ୱାର୍ନର । ପ୍ରଥମ ଓଭରରେ ହିଁ ଖାତା ଖୋଲିବା ପୂର୍ବରୁ ଭୁବନେଶ୍ବର କୁମାରଙ୍କ ବଲରେ ଆଉଟ ହୋଇଥିଲେ ଫିଲିପ ସର୍ଟ । ତେବେ ଅଧିନାୟକ ୱାର୍ନର ଓ ମିଚେଲ ମାର୍ଶ କିଛି ସମୟ ପାଳି ସମ୍ଭାଳିଥିଲେ । 15 ବଲରୁ 5 ଚୌକା ସହ 25 ରନ କରି ଟି ନଟରାଜନଙ୍କ ଶିକାର ପାଲଟିଥିଲେ ମାର୍ଶ । ଏହାପରେ ଡେଭିଡ ୱାର୍ନର ମଧ୍ୟ 20 ବଲରୁ 21 ରନ କରି ଆଉଟ ହୋଇଥିଲେ । ସେହି ଓଭରରେ ସର୍ଫରାଜ ଖାନ ଓ ଅମନ ହାକିମ ଖାନ ମଧ୍ୟ କେବଳ 10 ଓ 4 ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ମନୀଷ ପାଣ୍ଡେ ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ 34 ରନ ଲେଖାଏଁ କରି ଆଉଟ ହୋଇଥିଲେ । ଦଳର ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ସ୍କୋର କରିବାରେ ଅସମର୍ଥ ହୋଇଥିଲେ । ଫଳରେ ଦଳ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ କେବଳ 144 ରନ କରିପାରିଥିଲା ।
ହାଇଦ୍ରାବାଦ ପକ୍ଷରୁ ଆଜି ଭୁବନେଶ୍ବର କୁମାରଙ୍କ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । 4 ଓଭର ବୋଲିଂ କରିଥିବା ଭୁବନେଶ୍ବର କେବଳ 11 ରନ ବ୍ୟୟ କରି 2ଟି ବହୁମୂଲ୍ୟ ୱିକେଟ ହାତେଇଥିଲେ । ୱାଶିଂଟନ ସୁନ୍ଦର 4 ଓଭରରୁ 28 ରନ ବ୍ୟୟରେ 3ଟି ୱିକେଟ ପାଇଥିବା ବେଳେ ନଟରାଜନଙ୍କୁ ଗୋଟିଏ ସଫଳତା ମିଳିଥିଲା ।