ନୂଆଦିଲ୍ଲୀ: କିଏ ହାତେଇବ ଫାଇନାଲ ଟିକେଟ୍ । ଦ୍ବିତୀୟ କ୍ବାଲିଫାୟରରେ କାହାର ହେବ ଜିତ କାହାର ହେବ ମାତ୍ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ପଡିଆରେ ଛାଇଯିବ ନୀଳ-ବାଇଗଣି ଜର୍ସି । ଫ୍ୟାନ୍ସଙ୍କ ଚିୟରଅଫରେ କମ୍ପିବ ମୈଦାନ । ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ପ୍ଲେ ଅଫରେ ଆଜି ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳାଯିବ । ଏଥିରେ ଫାଇନାଲ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ମଧ୍ୟରେ ଜବରଦସ୍ତ ଫାଇଟ ହେବ । ଏହି ମ୍ୟାଚ ଯିଏ ଜିତିବ ସେ ଫାଇନାଲରେ ପ୍ରବେଶ କରିବ । ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳାଯିବ । ବିଜୟୀ ଟିମ ଆସନ୍ତା 28 ତାରିଖରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଫାଇନାଲ ମ୍ୟାଚ ଖେଳିବ ।
ଗୁଜୁରାଟ ବନାମ ମୁମ୍ବାଇ:ଫାଇନାଲ ଟିକେଟ ହାତେଇବାକୁ ଗୁଜୁରାଟ ଓ ମୁମ୍ବାଇ ମଧ୍ୟରେ ଆଜି ହାଇଭୋଲ୍ଟେଜ ମ୍ୟାଚ ଖେଳାଯିବ । ପ୍ରଥମ କ୍ବାଲିଫାୟରରେ ଚେନ୍ନାଇଠୁ 15ରନରେ ପରାସ୍ତ ହୋଇଥିଲା ଗୁଜୁରାଟ । ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌକୁ 81ରନରେ ପରାସ୍ତ କରି ଦ୍ବିତୀୟ କ୍ବାଲିଫାୟର ପାଇଁ ଯୋଗ୍ୟତା ଅର୍ଜନ କରିଛି ରୋହିତବାହିନୀ । ଆଇପିଏଲ ଆରମ୍ଭରୁ ଧିମା ଆରମ୍ଭ କରିଥିବା ମୁମ୍ବାଇ କମବ୍ୟାକ ପାଇଁ ପ୍ଲେ ଅଫରେ ଦ୍ବିତୀୟ କ୍ବାଲିଫାୟର ଖେଳିବାକୁ ଯାଉଛି । ଗୁଜୁରାଟକୁ ହରାଇ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଘରୋଇ ଗ୍ରାଉଣ୍ଡରେ ଖେଳୁଥିବାକୁ ଗୁଜୁରାଟର ମନୋବଳ ସୃଦୁଢ ରହିଛି । ମୁମ୍ବାଇକୁ ମାତ ଦେଇ ଫାଇନାଲ ଟିକେଟ୍ ହାତେଇବା ଲକ୍ଷ୍ୟରେ ରହିଛି ଡିଫେଣ୍ଡି ଚମ୍ପିଆନ ଗୁଜୁରାଟ ।
ଉଭୟ ଦଳ ଚଳିତ ସିଜନରେ ପରସ୍ପରକୁ 2ଥର ଭେଟିଛନ୍ତି । ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ତେଣୁ ମ୍ୟାଚ ପୂର୍ବାନୁମାନ କରିବା କଷ୍ଟକର । ଗୁଜୁରାଟର ଶୁଭମନ ଗିଲ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭୟର କାରଣ ହୋଇପାରନ୍ତି । ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବେ ମୁ୍ମ୍ବାଇ ବୋଲର । ସେହିପରି ରୋହିତଙ୍କ ବିପକ୍ଷରେ ରସିଦ ଖାନ ଅନେକ ସମୟରେ ସଫଳ ହୋଇଛନ୍ତି । ତେଣୁ ଆଜିର ମୁକାବିଲାରେ ଗୁଜୁରାଟ ପାଇଁ ରସିଦଙ୍କ ବୋଲିଂ ଗୁରୁତ୍ବବହନ କରିବ । ମୁମ୍ବାଇର ଆକାଶ ମଧୱାଲ ଲକ୍ଷ୍ନୌ ବିପକ୍ଷରେ ଯେଉଁଭଳି 5ଟି ୱିକେଟ ହାସଲ କରିଥିଲେ ତାହା ଏବେ ବି ଫ୍ୟାନ୍ସ ଭୁଲି ନାହାନ୍ତି ତେଣୁ ଆଜି ଆକାଶଙ୍କ ଉପରେ ନଜର ରହିବ ।