ଜୟପୁର: ରବିବାର ଜୟପୁରରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବେଶ ରୋମାଞ୍ଚକର ଥିଲା । ହୋମ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରି ଦମଦାର ବ୍ୟାଟିଂ ପ୍ରଦର୍ଶନ କରି 214 ରନ କରିଥିଲା ରାଜସ୍ଥାନ । ତେବେ ନାଟକୀୟ ଢଙ୍ଗରେ ଏହି ବିଶାଳ ବିଜୟ ଲକ୍ଷ୍ୟକୁ ଶେଷ ବଲରେ ହାସଲ କରିନେଇଛି ହାଇଦ୍ରାବାଦ । ଗୁରୁତ୍ବପୂର୍ଣ୍ଣ ସମୟରେ 7 ବଲରୁ ଧୂଆଁଧାର 25 ରନ କରି ବିପକ୍ଷ ଦଳ ହାତରୁ ମ୍ୟାଚ ଛଡ଼ାଇ ଆଣିଥିବା ଗ୍ଲେନ ଫିଲିପ୍ସ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ଘରୋଇ ଗ୍ରାଉଣ୍ଡରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ ରୟାଲ୍ସ । ବ୍ୟାଟିଂ କରିବାକୁ ଆସି ପ୍ରଥମରୁ ହିଁ ହାଇଦ୍ରାବାଦ ବୋଲରଙ୍କୁ ଜୋରଦାର ଆକ୍ରମଣ କରିଥିଲେ ରାଜସ୍ଥାନ ବ୍ୟାଟର । ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ୫୪ ରନ ଯୋଡ଼ିଥିଲେ ରାଜସ୍ଥାନର ପ୍ରାରମ୍ଭିକ ଯୋଡ଼ି । ତେବେ ୧୮ ବଲରୁ ଦୃତ ୩୫ ରନ ସଂଗ୍ରହ କରି ମାର୍କୋ ଜାନସେନଙ୍କ ଶିକାର ପାଲଟିଥିଲେ ଯଶସ୍ବୀ ଜୟସ୍ବାଲ । ଏହାପରେ ଜୋଶ ବଟଲର ଓ ଅଧିନାୟକ ସାମସନଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ବଟଲର ୫୯ ବଲ ଖେଳିଥିବା ବେଳେ ୧୦ ଚୌକା ଓ ୪ ଛକା ବଳରେ ୯୫ ରନର ବଡ଼ ପାଳି ଖେଳି ଆଉଟ ହୋଇଥିଲେ । ଅନ୍ୟପଟେ ଅଧିନାୟକ ସଞ୍ଜୁ ସାମସନ ୩୮ ବଲରୁ ଅପରାଜିତ ୬୬ ରନର ଧୂଆଁଧାର ପାଳି ଖେଳି ଦଳୀୟ ସ୍କୋରକୁ ୨୧୪ ରନରେ ପହଞ୍ଚାଇଥିଲେ ।
ହାଇଦ୍ରାବାଦ ପାଇଁ ଆଜି ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଭୁବନେଶ୍ବର କୁମାର ଓ ମାର୍କୋ ଜାନସେନ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ମଧ୍ୟ ୪୪ ରନ ଲେଖାଏଁ ବ୍ୟୟ କରିଥିଲେ । ଯାହା ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା । ଅନ୍ୟପଟେ ମୟଙ୍କ ମାର୍କଣ୍ଡେ ୪ ଓଭରରୁ ୫୧ ରନ ଖର୍ଚ୍ଚ କରି ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ ।