ଲକ୍ଷ୍ନୌ: ଆଇପିଏଲ ୨୦୨୩ର ୩୦ ତମ ମ୍ୟାଚ୍ରେ ଲକ୍ଷ୍ନୌ ଓ ଗୁଜରାଟ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଖେଳାଯାଇଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ କେବଳ ୧୩୫ ରନ କରିଥିଲା ଗୁଜରାଟ । ତେବେ ୧୩୬ ରନର ବିଜୟ ଲକ୍ଷ୍ୟ ମଧ୍ୟ ହାସଲ କରି ପାରିନାହିଁ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଶେଷ ଓଭରରେ ୪ଟି ୱିକେଟ ହରାଇ ଗୁଜରାଟ ଠାରୁ ମାତ୍ର ୭ ରନ ଦୂରରେ ରହିଯାଇଥିଲା ଲକ୍ଷ୍ନୌ ।
ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଦ୍ବିତୀୟ ଓଭରରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ଶୁଭମନ ଗିଲ । ଏହାପରେ କିନ୍ତୁ ରିଦ୍ଧିମାନ ଶାହା ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଦୃଢ଼ ଭାଗିଦାରୀ ଦେଖିବାକୁ ମିଳିଥିଲା । ଦ୍ବିତୀୟ ୱିକେଟ ପାଇଁ ଉଭୟ ଦଳୀୟ ଖାତାରେ ୬୮ ରନ ଯୋଡ଼ିଥିଲେ । ଏହାପରେ କୃଣାଲ ପାଣ୍ଡ୍ୟାଙ୍କ ବଲରେ ଧରା ପଡ଼ିଥିଲେ ଶାହା । ତୁରନ୍ତ ଅଭିନବ ମନୋହର ମଧ୍ୟ ମାତ୍ର ୩ ରନ କରି ପାଭିଲିୟନ ଫେରିଥିଲେ । ବିଜୟ ଶଙ୍କର ୧୦ ଓ ଡେଭିଡ ମିଲର ୬ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ପାଣ୍ଡ୍ୟାଙ୍କ ୬୬ ରନର ପାଳି ବଳରେ ଦଳ ୧୩୫ରେ ପହଞ୍ଚି ପାରିଥିଲା ।
ସେପଟେ ଲକ୍ଷ୍ନୌ ପକ୍ଷରୁ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ରବି ବିଷ୍ଣୋଇଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର ବିପକ୍ଷ ବ୍ୟାଟରଙ୍କୁ ହାତ ଖୋଲିବାକୁ ଦେଉନଥିଲେ । କୃଣାଲ ପାଣ୍ଡ୍ଯା ୪ ଓଭରରେ ୧୬ ରନ ବ୍ୟୟ କରି ୨ଟି ୱିକେଟ ପାଇଥିବା ବେଳେ ୩ ଓଭରରୁ ୨୦ ରନ ଦେଇ ୨ଟି ୱିକେଟ ହାତେଇଥିଲେ ଷ୍ଟୋଇନିସ । ସେହିଭଳି ଅମିତ ମିଶ୍ରା ଓ ନବୀନ ଉଲ ହକ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ ।