ଓଡିଶା

odisha

ETV Bharat / sports

IPL 2023 KKR vs SRH: ହାଇଦ୍ରାବାଦର ଦମଦାର ବିଜୟ, 23 ରନରେ ହାରିଲା କୋଲକାତା

ଆଇପିଏଲ 2023ର 19 ତମ ମୁକାବିଲାରେ କୋଲକାତାକୁ 23 ରନରେ ହରାଇଛି ହାଇଦ୍ରାବାଦ । କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଏହି ମୁକାବିଲାରେ ଚଳିତ ସଂସ୍କରଣର ସର୍ବାଧିକ ସ୍କୋର ଓ ପ୍ରଥମ ଶତକ ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ

IPL 2023 KKR vs SRH
IPL 2023 KKR vs SRH

By

Published : Apr 15, 2023, 12:38 AM IST

କୋଲକାତା: ଆଇପିଏଲ 2023ର ଆଜି ୧୯ ତମ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡର୍ସ । ତେବେ ଆଜିର ମ୍ୟାଚରେ ଚଳିତ ସଂସ୍କରଣର ପ୍ରଥମ ଶତକ ଓ ସବୁଠାରୁ ଲମ୍ବା ସ୍କୋର ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭରରେ 228 ରନର ବିଶାଳ ସ୍କୋର କରିଥିଲା । ତେବେ 229 ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା କୋଲକାତା 205 ରନରେ ସୀମିତ ରହିଯାଇଛି । ଫଳରେ ରନରେ ଏକ ବଡ଼ ବିଜୟ ହାସଲ କରିଛି ହାଇଦ୍ରାବାଦ ।

ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ଟସ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ କୋଲକାତା ଅଧିନାୟକ ନୀତିଶ ରାଣା । ତେବେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗକୁ ସଠିକ ଉପଯୋଗ କରିଥିଲେ ହାଇଦ୍ରାବାଦ ବ୍ୟାଟର । ଯଦିଓ ମୟଙ୍କ ଅଗ୍ରୱାଲ ଓ ରାହୁଲ ତ୍ରିପାଠୀ ଦଳକୁ ସେତେ ଭଲ ଆରମ୍ଭ ଦେଇପାରି ନଥିଲେ, କିନ୍ତୁ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ହ୍ୟାରୀ ବ୍ରୁକ ଆଜି ତାଙ୍କ ଆଇପିଏଲ କ୍ୟାରିୟରର ଏକ ଶ୍ରେଷ୍ଠ ପାଳି ଖେଲିଥିଲେ । ସେ ଚଳିତ ସଂସ୍କରଣର ପ୍ରଥମ ବ୍ୟାଟର ଭାବେ ଶତକ ଅର୍ଜନ କରିଛନ୍ତି । ସେ କେବଳ 55 ବଲରୁ 12 ଚୌକା ଓ ୩ ଛକା ବଳରେ ଅପରାଜିତ ଶତକ ହାସଲ କରିଛନ୍ତି । ଅନ୍ୟପଟେ ଅଧିନାୟକ ଏଡେନ ମାର୍କ୍ରମ ମଧ୍ୟ ଆଜି ଧୂଆଁଧାର ପାଳି ଖେଳିଥିଲେ । ସେ 26 ବଲରୁ 2ଟି ଚୌକା ଓ 5 ଛକା ବଳରେ ଦୃତ 50 ରନ ସଂଗ୍ରହ କରିଥିଲେ । ତେବେ ବରୁଣ ଚକ୍ରବର୍ତ୍ତୀ ମାର୍କ୍ରମଙ୍କୁ ଆଉଟ କରିବାରେ ସଫଳ ହୋଇଥିଲେ । ଏହାପରେ ଅଭିଷେକ ଶର୍ମାଙ୍କ 17 ବଲରୁ ଦୃତ 32 ଓ ହେନରିଚ କ୍ଲାସିନଙ୍କ 6 ବଲରୁ ଅପରାଜିତ 16 ରନ ବଳରେ ଦଳ 228 ରନର ବିଶାଳ ସ୍କୋରରେ ପହଞ୍ଚିଥିଲା ।

ତେବେ କୋଲକାତା ପକ୍ଷରୁ ଆଜି ପ୍ରାୟ ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଦଳର ଷ୍ଟାର ବୋଲର ଲକି ଫର୍ଗୁସନ କେବଳ 2 ଓଭର ବୋଲିଂ କରି ସର୍ବାଧିକ 37 ରନ ବ୍ୟୟ କରିଛନ୍ତି । ସେହିଭଳି ଉମେଶ ଯାଦବ ମଧ୍ୟ 3 ଓଭରରେ 42 ରନ ଖର୍ଚ୍ଚ କରିଥିଲେ ମଧ୍ୟ ଉଭୟ କୌଣସି ସଫଳତା ପାଇ ନାହାନ୍ତି । କେବଳ ଆନ୍ଦ୍ରେ ରୁସେଲ ଦଳ ପାଇଁ ସର୍ବାଧିକ ୩ଟି ୱିକେଟ ହାସଲ କରିଛନ୍ତି । ବରୁଣ ଚକ୍ରବର୍ତ୍ତୀ 4 ଓଭରରୁ 41 ରନ ବ୍ୟୟରେ ଗୋଟିଏ ସଫଳତା ପାଇଥିଲେ । ଅନ୍ୟ କୌଣସି ବୋଲରଙ୍କୁ ଆଜି ଆଶାନୁରୂପ ସଫଳତା ମିଳିନଥିଲା ।

ଏହାପରେ 229 ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ନୀତିଶ ରାଣାଙ୍କ କୋଲକାତା ନାଇଟ ରାଇଡର୍ସ । ପାଳି ଆରମ୍ଭରୁ ପ୍ରାରମ୍ଭିକ ବ୍ୟାଟର ଗୁରବାଜଙ୍କ ୱିକେଟ ହରାଇଥିଲା ଦଳ । ଇମ୍ପାକ୍ଟ ପ୍ଲେୟାର ଭାବେ ମୈଦାନକୁ ଓହ୍ଲାଇଥିବା ଭେଙ୍କଟେଶ ଆୟର ମଧ୍ୟ କୌଣସି କମାଲ କରିପାରିନଥିଲେ । ସେ ମାତ୍ର 10 ରନ କରି ପାଭିଲିୟନ ଫେରିଥିଲେ । ଦଳୀୟ ସ୍କୋର 20 ରନ ସୁଦ୍ଧା କୋଲକାତା 3ଟି ୱିକେଟ ହରାଇସାରିଥିଲା । ଏହାପରେ ଅଧିନାୟକ ନୀତିଶ ରାଣା ଜଗଦୀଶନଙ୍କ ସହ ମିଶି ଏକ ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଉଭୟଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । ଏହାପରେ ଜଗଦୀଶନ 36 ରନ କରି ପାଭିଲିୟନ ଫେରିଥିଲେ । ଆନ୍ଦ୍ରେ ରୁସେଲ ବଡ଼ ସଟ ଖେଳିବା ଆଶାରେ ନିଜ ୱିକେଟ ହରାଇଥିଲେ । ଏହାପରେ ପୁନଃ ନୀତିଶ ରାଣା ରିଙ୍କୁ ସିଂହଙ୍କ ସହ ମିଶି ଆଉ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ । ବିଜୟ ପାଇଁ ସଙ୍ଘର୍ଷ ମଧ୍ୟରେ ନୀତିଶ ରାଣା 41 ବଲରୁ 75 ରନ କରି ପାଭିଲିୟନ ଫେରିଥିଲେ । ରିଙ୍କୁ ସିଂହ ମଧ୍ୟ 31ଟି ବଲରୁ 58 ରନ କରି ଅପରାଜିତ ରହିଥିଲେ । ତେବେ ଏହା ଦଳର ବିଜୟ ପାଇଁ ପର୍ଯ୍ୟାପ୍ତ ନଥିଲା । ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 205 ରନ ହିଁ କରିପାରିଥିଲା ଦଳ ।

ଅନ୍ୟ ପକ୍ଷରେ ହାଇଦ୍ରାବାଦ ପକ୍ଷରୁ ମାର୍କୋ ଜାନସେନ ଓ ମୟଙ୍କ ମାର୍କଣ୍ଡେ 2ଟି ଲେଖାଏଁ ୱିକେଟ ନେଇଥିଲେ । ଉମ୍ରାନ ମଲ୍ଲିକ, ଟି ନଟରାଜନ ଓ ଭୁବନେଶ୍ବର କୁମାର ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ତେବେ ନଟରାଜ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇ 54 ରନ ଖର୍ଚ୍ଚ କରିଛନ୍ତି । ତେବେ ଶତକୀୟ ପାଳି ଖେଳିଥିବା ହ୍ୟାରୀ ବ୍ରୁକ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details