ମୁମ୍ବାଇ:ଆଇପିଏଲର ୧୬ତମ ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୮୯ ରନ୍ ସଂଗ୍ରହ କରିଛି । ଫଳରେ ଗୁଜୁରାଟ ସାମ୍ନାରେ ୧୯୦ ରନ୍ର ବିଜୟ ଲକ୍ଷ୍ୟ ରହିଛି । ପଞ୍ଜାବ ପକ୍ଷରୁ ଦମଦାର ଫର୍ମରେ ଥିବା ଲିଆମ ଲିଭିଂଷ୍ଟୋନ ପୁଣି ଏକ ଧମାକାଦାର ଇଂନିସ ଖେଳିଛନ୍ତି । ମାତ୍ର ୨୭ ବଲ୍ରୁ ୭ଟି ଚୌକା ଓ ୪ଟି ଛକା ସହାୟତାରେ ୬୪ ରନ୍ର ମାରାଥନ ଇଂନିସ ଖେଳିଛନ୍ତି ।
ଭେଟେରାନ ଓପନର ଶିଖର ଧାୱନ ୩୦ ବଲ୍ରୁ ୩୫ ଓ ଜିତେଶ ଶର୍ମା ୧୧ ବଲ୍ରୁ ୨୩ ରନ୍ର ଉପଯୋଗୀ ଦ୍ରୁତ ଇଂନିସ ଖେଳିଛନ୍ତି । ତେବେ କ୍ୟାପଟେନ ମୟଙ୍କ ଅଗ୍ରୱାଲ ପୁଣି ଥରେ ବିଫଳ ହେବାସହ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ । ମାତ୍ର ଶେଷ ଭାଗରେ ରାହୁଲ ଚହର ୧୪ ବଲ୍ରୁ ୨୨ ଓ ଅର୍ଶଦୀପ ସିଂ ୫ ବଲ୍ର ୧୦ ରନ୍ର ଯୋଗଦାନ ସହ ପଞ୍ଜାବର ସ୍କୋର ୧୮୦ ପାର୍ କରାଇଥିଲେ ।