ଦୁବାଇ:ଚଳିତ ଆଇପିଏଲରେ ଫାଇନାଲରେ ପ୍ରବେଶ କରିସାରିଛନ୍ତି ଦୁଇ ଶକ୍ତିଶାଳୀ ଟିମ । ଟ୍ରଫି ଜିତିବା ପାଇଁ କୋଲକାତା ଓ ଚେନ୍ନାଇ ମଧ୍ୟରେ ହେବ ଟକ୍କର । ତିନିଥର ଚମ୍ପିୟାନ ହୋଇଥିବା ଧୋନୀ ବାହିନୀ ଚେନ୍ନାଇ ସୁପରକିଙ୍ଗସ୍ ଦୁଇଥର ଆଇପିଏଲ ଟ୍ରଫି ବିଜେତା କୋଲକାତା ମଧ୍ୟରେ ହେବ ଟକ୍କର । ୬ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି କୋଲକାତା । କିଏ କାହାକୁ ମାତ ଦେଉଛି କାହା ପଲ୍ଲା ଭାରି ହେଉଛି, ତାହା ଦେଖିବାକୁ ବାକି ରହିଲା । ୨୦୧୨ରେ କେକେଆରଠୁ ଚେନ୍ନାଇ ଫାଇନାଲରେ ପରାସ୍ତ ହୋଇଥିଲା । ଯାହାର ବଦଲା ନେବାକୁ ନିଶ୍ଚୟ ଚେଷ୍ଟା କରିବ ଚେନ୍ନାଇ ।
କୋଲକାତା ଆଇପିଏଲର ତୃତୀୟ ଦଳ ଭାବେ ଏଲିମିନେଟର ମ୍ୟାଚ୍ ଖେଳି ଫାଇନାଲରେ ପ୍ରବେଶ କରିବାର ରେକର୍ଡ କରିଛି । ପୂର୍ବରୁ କେବଳ ଚେନ୍ନାଇ(୨୦୧୩) ଓ ସନରାଇଜର୍ସ ହାଇଦ୍ରାବାଦ(୨୦୧୮)ରେ ଏହି କୀର୍ତ୍ତିମାନ କରିଥିଲେ । ବର୍ତ୍ତମାନ ଏହି କ୍ଲବରେ କୋଲକାତା ସାମିଲ ହୋଇଛି । ବଡକଥା ହେଲା ଦୁଇଥର ଆଇପିଏଲ ଟ୍ରଫି ଜିତିଥିବା କୋଲକାତା କେବେ ହେଲେ ଫାଇନାଲରେ ପରାସ୍ତ ହୋଇନି । ୨୦୧୨ରେ କୋଲକାତା ଚେନ୍ନାଇକୁ ୫ ୱିକେଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା ।