ମୁମ୍ବାଇ: ୱାଙ୍ଖଡ଼େ ଷ୍ଟାଡିୟମରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଆଇପିଏଲ 14ର ଏହି ସପ୍ତମ ମ୍ୟାଚରେ ବିଜୟ ହାସଲ କରିବ ଲକ୍ଷ୍ୟରେ ଓହ୍ଲାଇବ ରାଜସ୍ଥାନ ରୟାଲ୍ସ। ସେପଟେ ପ୍ରଥମ ମ୍ୟାଚ ବିଜୟୀ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ମନୋବଳ ସୁଦୃଢ଼ ରହିଛି। ଆଙ୍ଗୁଠିରେ ଆଘାତ ଯୋଗୁଁ ଆଇପିଏଲରୁ ବାଦ ପଡ଼ିଛନ୍ତି ବେନ ଷ୍ଟୋକସ। ଫଳରେ ରାଜସ୍ଥାନକୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିଛି।
ଯୁବ ଅଧିନାୟକ ଋଷଭ ପନ୍ତଙ୍କ ନେତୃତ୍ବରେ ଦିଲ୍ଲୀ ଦଳ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ। ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗ୍ସକୁ ମାତ ଦେଇ ଦିଲ୍ଲୀ ତାର ପରକାଷ୍ଠା ଦେଖାଇଛି। ସେପଟେ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଥିଲା। ପଞ୍ଜାବ ବିପକ୍ଷରେ 222 ରନ ବିଜୟ ଲକ୍ଷ୍ୟ ପିଛା କରି 4 ରନରେ ହାରିଥିଲା ଦଳ।
ବେନ ଷ୍ଟୋକସ୍ଙ୍କ ଅନୁପସ୍ଥିତିରେ ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ଦାୟିତ୍ବ ଶିଭମ ଦୁବେ, ରିୟାନ ପରାଗ ଓ ଜୋଶ ବଟଲରଙ୍କ ଉପରେ ରହିବ। ସଞ୍ଜୁ ସାମସନ ମଧ୍ୟ ଭଲ ଫର୍ମରେ ରହିଛନ୍ତି। ସେପଟେ ଆଇପିଏଲ ଡେବ୍ୟୁ ମ୍ୟାଚରେ 31 ରନ ଦେଇ 3 ୱିକେଟ ନେଇଥିବା ଚେତନ ସକାରିୟାଙ୍କ ଉପରେ ଦଳର ଭରସା ବୃଦ୍ଧି ପାଇଛି। ରାଜସ୍ଥାନ ପାଇଁ ସ୍ପିନର ବୋଲରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ।
ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ 4ଥରର ଚମ୍ପିଆନ ଚେନ୍ନାଇ ସୁପରକିଙ୍ଗ୍ସକୁ ମାତ ଦେଇ ଅନ୍ୟ ଦଳକୁ ନିଜ ଦମ୍ ଦେଖାଇଛି। ପୃଥ୍ବୀ ଶ ଓ ଶିଖର ଧବନ ଦଳ ପାଇଁ ଭଲ ଓପେନି ଯୋଡ଼ି ସାବ୍ୟସ୍ତ ହୋଇଛନ୍ତି। ଗତ ମ୍ୟାଚରେ ଦୁହିଁଙ୍କ ମଧ୍ୟରେ 54 ବଲରେ 58ରନ ଭାଗିଦାରୀ ହୋଇଥିଲା।
ସେପଟେ ବୋଲିଂରେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ କରିଛି। କ୍ରିଶ ୱୋକ୍ସଙ୍କ ବଲରେ ରନ କରିବା ପାଇଁ ପ୍ରତିପକ୍ଷ ଖେଳାଳି ଫେଲ ମାରିଛନ୍ତି। ସେପଟେ ଆବେଶ ଖାନ ମଧ୍ୟ କ୍ରୀଶ ୱୋକ୍ସଙ୍କ ସହାୟତା ଦେଉଛନ୍ତି। ଉଭୟ ମିଶି ଗତ ମ୍ୟାଚରେ 4ଟି ୱିକେଟ ନେଇଥିଲେ। ତେବେ ଆଜିର ମ୍ୟାଚେ ମାର୍କସ ଷ୍ଟୋଇନିସ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ।