ପୁଣେ:ଫଟାଫଟ ଆଇପିଏଲ କ୍ରିକେଟ ମ୍ୟାଚ ଜାରି ରହିଛି । ଆଜି (ମଙ୍ଗଳବାର) 39ତମ ଲିଗ ମୁକାବିଲା ଖେଳାଯିବ । ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ଆଜିର ମ୍ୟାଚ ଜିତିଲେ ପଏଣ୍ଟ ଟେବୁଲ ଶୀର୍ଷକୁ ଉଠିବାକୁ ରାଜସ୍ଥାନ ପାଖରେ ସୁଯୋଗ ରହିଛି । ସେପଟେ ଆଜିର ମ୍ୟାଚ ଜିତି ଶ୍ରେଷ୍ଠ 4ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ବାଙ୍ଗାଲୋର ।
ପୂର୍ବ ମ୍ୟାଚରେ ସନରାଇଜର୍ସଠୁ ଲଜ୍ୟାକର ପରାସ୍ତ ହୋଇଥିଲା ବାଙ୍ଗାଲୋର । ବାଙ୍ଗାଲୋର ବିପକ୍ଷରେ ସହଜ ବିଜୟ ହାସଲ କରି ନେଇଥିଲା କେନ ୱିଲିୟସନଙ୍କ ଟିମ । ମାତ୍ର ୬୮ ରନ୍ରେ RCBକୁ ରୋକିବା ପରେ ୮ ଓଭରରେ ଗୋଟିଏ ୱିକେଟ ହରାଇ ବିଜୟ ହାସଲ କରିନେଇଥିଲା SRH । 8ଟି ମ୍ୟାଚ ଖେଳି 5ଟି ଜିତି 10 ପଏଣ୍ଟ ସହ ଟେବୁଲ ପଞ୍ଚମ ସ୍ଥାନରେ ରହିଛି ବାଙ୍ଗାଲୋର । ରୟାଲ୍ସର ଜୋସ ବଟଲରଙ୍କ ବ୍ୟାଟିଂକୁ ଅଟକାଇବାକୁ ପଡିବ । ଇତି ମଧ୍ୟରେ ବଟଲର 3ଟି ଶତକ ହାସଲ କରି ସାରିଛନ୍ତି । ବଟଲରଙ୍କୁ ରୋକିବାକୁ ଚ୍ୟାଲେଞ୍ଜର୍ସ ବୋଲରଙ୍କୁ ସ୍ବତନ୍ତ୍ର ରଣନୀତି ସହ ମଇଦାନକୁ ଓହ୍ଲାଇବାକୁ ପଡିବ । ରୟାଲ୍ସକୁ ହରାଇବାକୁ ହେଲେ କୋହଲିଙ୍କୁ ଆଜି ସଫଳ ହେବାକୁ ପଡିବ । ଶେଷ 2ଟି ମ୍ୟାଚରେ ଖାତା ଖୋଲି ନାହାନ୍ତି କୋହଲି । 8ଟି ମ୍ୟାଚରେ ମାତ୍ର 117 ରନ କରିଛନ୍ତି । ଆଜିର ମ୍ୟାଚରେ ତାଙ୍କ ବ୍ୟାଟରୁ କିଛି ବଡ ଇନିଂସ ଆଶା କରାଯାଉଛି ।