କୋଲକାତା: ଆଇପିଏଲ ଟିମ କୋଲକାତା ନାଇଟ ରାଇଡର୍ସ(KKR)ର ବୋଲିଂ କୋଚ୍ ନିଯୁକ୍ତ ହୋଇଛନ୍ତି ଟିମ ଇଣ୍ଡିଆର ପୂର୍ବତନ ବୋଲିଂ କୋଚ୍ ଭାରତ ଅରୁଣ । ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ ପୂର୍ବରୁ KKR ଫ୍ରାଞ୍ଚାଇଜ ଶୁକ୍ରବାର ଏହି ଘୋଷଣା କରିଛି ।
୨୦୧୪ ଠାରୁ ଭାରତୀୟ ଜାତୀୟ ଟିମର ବୋଲିଂ କୋଚ୍ ରହିଥିଲେ ଭାରତ ଅରୁଣ । ଟିମର ଇଣ୍ଡିଆର ସଫଳ ଓ ଆକ୍ରମଣାତ୍ମକ ବୋଲିଂ ସ୍ତର ବୃଦ୍ଧିରେ ପ୍ରମୁଖ ଭୁମିକା ନିଭାଇଥିଲେ । ଜଣେ ଖେଳାଳି ଭାବେ ସେ ଟେଷ୍ଟ ଓ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ରେ ଭାରତକୁ ପ୍ରତିନିଧିତ୍ବ କରିଛନ୍ତି । ଏଥିସହ ତାମିଲନାଡୁ ପାଇଁ ତାଙ୍କର ସଫଳତମ ଘରୋଇ କ୍ରିକେଟ କ୍ୟାରିୟର ମଧ୍ୟ ରହିଛି ।
ଏହାମଧ୍ୟ ପଢନ୍ତୁ: COVID Surge: ମହାମାରୀ କାଳରେ କ୍ରିକେଟ ଆହ୍ବାନ, ଆଶଙ୍କାରେ ଭାରତ-ଇଣ୍ଡିଜ ବାରବାଟୀ T-20
ନୂଆ ନିଯୁକ୍ତି ନେଇ KKR ମୁଖ୍ୟ କୋଚ୍ ବ୍ରେଣ୍ଡନ ମାକ୍ୟୁଲମ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି, "ଭାରତ ଅରୁଣଙ୍କୁ KKR କୋଚିଂ ଷ୍ଟାଫ୍କୁ ସ୍ବାଗତ । ଅନ୍ତର୍ଜାତୀୟ ମ୍ୟାଚ୍ର ଅନେକ ଅଭିଜ୍ଞତା ଓ ସଫଳତା ରହିଥିବାରୁ ଅରୁଣ ବର୍ତ୍ତମାନର କୋଚିଂ ଷ୍ଟାଫ୍ ଟିମକୁ ଆହୁରି ଶକ୍ତିଶାଳୀ କରାଇବେ । ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଅଭିଜ୍ଞତା KKR ବୋଲିଂ ଗ୍ରୁପ୍ ପାଇଁ ବିଶେଷ ସହାୟକ ହେବ ।"
ତାମିଲନାଡୁ ଘରୋଇ ଟିମର କୋଚ ଭାବେ ପ୍ରଥମେ ଭାରତ ଅରୁଣ ନିଜର କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ନ୍ୟାସନାଲ କ୍ରିକେଟ ଏକାଡେମୀ(NCA) ବେଙ୍ଗାଲୁରୁରେ ମୁଖ୍ୟ ବୋଲିଂ କୋଚ୍ ରହିଥିଲେ । ପରେ ୧୯ ବର୍ଷରୁ କମ ଭାରତୀୟ ସ୍କ୍ବାଡ୍ର ମୁଖ୍ୟ କୋଚ୍ ଦାୟିତ୍ବ ତୁଲାଇଥିଲେ । ସେ କୋଚ୍ ଥିବା ସମୟରେ ଅଷ୍ଟ୍ରେଲିଆରେ 19ବର୍ଷରୁ କମ ବିଶ୍ବକପ ବିଜୟୀ ହୋଇଥିଲା ଭାରତ ।
ANI