ଜୟପୁର: କିଙ୍ଗ୍ସ ଇଲେଭେନ ପଞ୍ଜାବ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚକୁ ପଞ୍ଜାବ ଜିତି ନେଇଛି ସତ କିନ୍ତୁ ମ୍ୟାଚକୁ ନେଇ ସୃଷ୍ଟି ହୋଇଛି ଅନେକ ବିବାଦ। ରାଜସ୍ଥାନ ରୟାଲ୍ସର ଓପନିଙ୍ଗ ବ୍ୟାଟ୍ସମ୍ୟାନ ଜୋସ ବଟଲର ଆଇପିଏଲ ଇତିହାସରେ ‘ମଙ୍କଡିଙ୍ଗ(Mankading)’ର ଶିକାର ହୋଇଥିବା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଯେତେବେଳେ କିଙ୍ଗ୍ସ ଇଲେଭେନ ପଞ୍ଜାବର ଅଧିନାୟକ ଅଶ୍ୱିନ ବିବାଦୀୟ ଢ଼ଙ୍ଗରେ ତାଙ୍କୁ ଆଉଟ କରିଥିଲେ।
ବଟଲର 43 ବଲରେ 69 ରନ କରି ଖେଳୁଥିବା ସମୟରେ ତାଙ୍କୁ ଚେତାବନୀ ନଦେଇ ରନ ଆଉଟ କରିଥିଲେ, ଯାହାକୁ ନେଇ ଏବେ ଖେଳୁଆଡ ମନୋଭାବ ଉପରେ ଉଠିଛି ପ୍ରଶ୍ନ। ଖେଳର ନିୟମ ଅନୁସାରେ ଥାର୍ଡ ଅମ୍ପାୟାର ବଟଲରଙ୍କୁ ଆଉଟ ଘୋଷଣା କରିଥିଲେ, କିନ୍ତୁ ଏପରି ୱିକେଟ ନେବା ଖେଳୁଆଡ ମନୋଭାବ ବିପକ୍ଷରେ ବୋଲି ମନେ କରାଯାଏ। ଏହା ପରେ ଅଶ୍ୱିନ ଓ ବଟଲରଙ୍କ ମଧ୍ୟରେ ଅନେକ ବିତର୍କ ମଧ୍ୟ ହୋଇଥିଲା। ଏହି ୱିକେଟ ପରେ ମ୍ୟାଚ ସମ୍ପୂର୍ଣ୍ଣ ବଦଳି ଯାଇଥିଲା।
ମ୍ୟାଚ ପରେ ଅଶ୍ୱିନଙ୍କୁ ଏନେଇ ପ୍ରଶ୍ନ ପଚାରିବାରୁ ସେ କହିଛନ୍ତି ଯେ ‘ମୋ ପକ୍ଷରେ ଏହା ଖୁବ ସହଜ ଥିଲା। ଏହା କୌଣସି ଯୋଜନା ନଥିଲା। ଏହା ଖେଳର ନିୟମ ଅନ୍ତର୍ଭୁକ୍ତ।’