ଚେନ୍ନାଇ: ବିଶ୍ବର ସବୁଠାରୁ ଧନଶାଳୀ ଟି-୨୦ ଲିଗ ‘ଆଇପିଏଲ’ର 12ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ । ଲଗାତାର ୫୧ ଦିନ ଧରି ଚାଲିବାକୁ ଥିବା ଏହି ମହାସମରର ପ୍ରଥମ ମ୍ୟାଚରୁ ହିଁ ଜୋରଦାର ଲଢେଇ ହେବ । ଉଦଘାଟନୀ ମୁକାବିଲାରେ ଭାରତୀୟ କ୍ରିକେଟର ଦୁଇ ମହାରଥୀ ସାମ୍ନାସାମ୍ନିହେବେ । ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଏବଂ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପ୍ରଥମ ମୁକାବିଲାରେ ଭେଟାଭେଟି ହେବାକୁ ଯାଉଛନ୍ତି ।
ଆଇପିଏଲ ଇତିହାସର ସଫଳତମ ଦଳ ସିଏସକେ ପ୍ରଥମ ଥର ପାଇଁ ବିଜେତା ଲକ୍ଷ୍ୟରେ ଥିବା କୋହଲିଙ୍କ ଆରସିବିକୁ ଭେଟିବ । ଦୁଇ ବର୍ଷ ଧରି ବାସନ୍ଦ ହେବା ପରେ ଗତବର୍ଷ ପୁଣି ଥରେ ଫେରି ଆଇପିଏଲରେ 3ୟ ଥର ପାଇଁ ବିଜେତା ମୁକୁଟ ପିନ୍ଧିଥିଲା ଚେନ୍ନାଇ । ଅନ୍ୟପଟେ ବେଙ୍ଗାଲୁରୁ ତିନି ଥର ଫାଇନାଲ ଖେଳି ମଧ୍ୟ ଥରେ ହେଲେ ମଧ୍ୟ ବିଜେତା ହୋଇପାରିନାହିଁ ।
ଧୋନିଙ୍କ ନେତୃତ୍ବରେ ସିଏସକେ ବେଶ ସନ୍ତୁଳିତ ଦଳ । ଦଳରେ ସେନ ୱାଟସନ, ଫାଫ ଡୁ ପ୍ଲେସିସଙ୍କ ଭଳି ବିଦେଶୀ ଖେଳାଳି ଥିବାବେଳେ ମୁରଲୀ ବିଜୟ, ଅମ୍ବାତି ରାୟୁଡୁ, ସୁରେଶ ରାଇନାଙ୍କ ଭଳି ଘରୋଇ ଖେଳାଳି ଅଛନ୍ତି । ରବୀନ୍ଦ୍ର ଜାଡେଜା, ଡ୍ବେନ ବ୍ରାଭୋ, ଡେୱିଡ ୱିଲି ଏବଂ ମିଚେଲ ସାଣ୍ଟନରଙ୍କ ରୂପରେ ଏକାଧିକ ଦକ୍ଷ ଅଲରାଉଣ୍ଡର ମଧ୍ୟ ରହିଛନ୍ତି । ବୋଲିଂ ବିଭାଗ ହରଭଜନ ସିଂହ, କର୍ଣ୍ଣ ଶର୍ମା, ମୋହିତ ଶର୍ମା, ଶାର୍ଦୁଲ ଠାକୁର, ଇମ୍ରାନ୍ ତାହିର ଏବଂ ଲୁଙ୍ଗି ନେଗିଡିଙ୍କ ଭଳି ବୋଲରଙ୍କୁ ନେଇ ସମୃଦ୍ଧ ।