ବେଙ୍ଗାଲୁରୁ:ଭାରତୀୟ ଦ୍ରୁତ ବୋଲର ଅଭିମନ୍ୟୁ ମିଥୁନ ୩୧ ବର୍ଷ ବୟସରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମିଥୁନ ଅବସର ଘୋଷଣା କରିଛନ୍ତି । "ଦେଶ ପାଇଁ ସର୍ବୋଚ୍ଚ ସ୍ତରରେ ପ୍ରତିନିଧିତ୍ବ କରିବା କ୍ୟାରିୟରର ଶ୍ରେଷ୍ଠ ସଫଳତା ହୋଇ ରହିବ । ଏହି ନିଷ୍ପତ୍ତି ସହଜ ନଥିଲା । ମାତ୍ର ପ୍ରଥମ ଶ୍ରେଣୀ କ୍ରିକେଟ ସହିତ ସମସ୍ତ ପ୍ରକାର କ୍ରିକେଟର ଅବସର ନେବାର ଏହା ଉପଯୁକ୍ତ ସମୟ ବୋଲି ଚୟନ କରିଛି ।" ନିଜ ଅବସରକାଳୀନ ଆବେଗପୂର୍ଣ୍ଣ ବାର୍ତ୍ତାରେ ଏହା ଲେଖିଛନ୍ତି ମିଥୁନ ।
ବର୍ଷ ୨୦୧୦ରେ ମିଥୁନ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ୪ଟି ଟେଷ୍ଟ ମଧ୍ୟରୁ ଶେଷ ମ୍ୟାଚ୍ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୦୧୧ରେ ବାର୍ବାଡୋସରେ ଖେଳିଥିଲେ ଓ ୯ଟି ୱିକେଟ ଅକ୍ତିଆର କରିଥିଲେ । ୪/୧୦୫ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି । ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆ ଡେବ୍ୟୁ ମଧ୍ୟ କରିଥିଲେ । ମୋଟ ୫ଟି ଦିନିକିଆ ମ୍ୟାଚ୍ ମଧ୍ୟରୁ ୨୦୧୧ରେ ଚେନ୍ନାଇରେ ଶେଷମ୍ୟାଚ୍ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ ଓ ୩ଟି ୱିକେଟ ଅକ୍ତିଆର କରିଥିଲେ ।
ନିଜ ଅବସରକାଳୀନ ବାର୍ତ୍ତାରେ କ୍ରିକେଟ ଯାତ୍ରାରେ ପ୍ରମୁଖ ଭୁମିକା ନିଭାଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)କୁ ଧନ୍ୟବାଦ ଜଣାଇଛନ୍ତି ମିଥୁନ । ଏଥିସହିତ କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ବିନା କ୍ରିକେଟ ଯାତ୍ରା ସମ୍ଭବ ହୋଇପାରିନଥାନ୍ତା ବୋଲି ସେ କହିଛନ୍ତି । ରାଜ୍ୟ କ୍ରିକେଟ ବୋର୍ଡ ଯୋଗ୍ୟ ଭାବି ଚୟନ କରିବା ସହିତ ଜାତୀୟ ଟିମରୁ ଖେଳିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଅଭିମନ୍ୟୁ । ଏଥିସହିତ ମିଥୁନ ଲେଖିଛନ୍ତି, "ନିଜ ରାଜ୍ୟ କର୍ଣ୍ଣାଟକ ପାଇଁ ଅନେକ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଛି ଓ ଟ୍ରଫି ମଧ୍ୟ ଜିତିଛି । ପ୍ରାୟ ଦୁଇ ଦଶନ୍ଧି ଧରି KSCA ପକ୍ଷରୁ ଓ ସାଥୀ ଖେଳାଳିଙ୍କ ଠାରୁ ମିଳିଥିବା ସାହାଯ୍ୟ ଓ ସହଯୋଗ ସାରାଜୀବନ ସ୍ମରଣୀୟ ହୋଇ ରହିବ ।"