ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ସଦ୍ୟତମ ଦିନିକିଆ ମାନ୍ୟତା ଜାରି କରାଯାଇଛି । ଏଥିରେ ଭାରତୀୟ ଦଳର ଓପନର ଶୁଭମନ ଗିଲ୍ ଏବଂ ୱିକେଟ୍କିପର ବ୍ୟାଟର ଈଶାନ କିଶାନ ନିଜ କ୍ରିକେଟ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି । ଗତ ଥର ପ୍ରକାଶ ପାଇଥିବା ମାନ୍ୟତାରେ ଚତୁର୍ଥରେ ରହିଥିବା ଗିଲ୍ ଗୋଟିଏ ସ୍ଥାନ ଉପରକୁ ଆସି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି ଇଶାନ କିଶାନ ୧୨ଟି ସ୍ଥାନ ଉପରକୁ ଉଠି ୨୪ତମ ବ୍ୟାଟର ମାନ୍ୟତା ହାସଲ କରିଛନ୍ତି ।
ସଦ୍ୟତମ ପ୍ରକାଶିତ ମାନ୍ୟତାରେ ଭାରତୀୟ ଓପନର୍ ଶୁଭମନ ଗିଲ୍ଙ୍କ ରେଟିଂ ପଏଣ୍ଟ ୭୫୦ ରହିଛି । ଜାରି ରହିଥିବା ଏସିଆ କପ୍ ୨୦୨୩ରେ ନେପାଳ ବିପକ୍ଷ ମ୍ୟାଚ୍ରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ମିଶି ଆକର୍ଷଣୀୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ଗିଲ୍ । ଏହା ପୂର୍ବରୁ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଗିଲ୍ କେବଳ ୧୦ ରନ କରି ପାରିଥିଲେ । ସେହିଭଳି ଭାରତୀୟ ୱିକେଟକିପର-ବ୍ୟାଟର ଈଶାନ କିଶାନଙ୍କ ରେଟିଂ ବର୍ତ୍ତମାନ ହେଉଛି ୬୨୪ । ଏସିଆ କପ୍ ୨୦୨୩ରେ ଭାରତର ପ୍ରଥମ ମୁକାବିଲା ପାକିସ୍ତାନ ସହ ଖେଳାଯାଇଥିବା ବେଳେ ଏଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଅଭିକ୍ଜ୍ଞ ବ୍ୟାଟର ବିରାଟ କୋହଲିଙ୍କ ଭଳି ଖେଳାଳି ବିଫଳ ହୋଇତିଲେ । ହେଲେ ଏହି ମ୍ୟାଚ୍ରେ ଦମଦାର ବ୍ୟାଟିଂ କରିଥିଲେ ଈଶାନ । ସେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରି ଦଳକୁ ଚାପରୁ ବାହାର କରିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ଲଢ଼ୁଆ ବ୍ୟାଟିଂ କରିଥିଲେ । ଏହି ମ୍ୟାଚ୍ରେ ସେ ୮୧ ବଲ୍ରୁ ୯ ଚୌକା ଓ ୨ ଛକା ସହ ୮୨ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ ।