ଦିଲ୍ଲୀ:ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ତୃତୀୟ ମ୍ୟାଚ ଜିତି ୨-୧ ରେ ସିରିଜ ହାତେଇଲା ଭାରତ । ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଶିଖର ଧାୱନ । ତେବେ ଭାରତୀୟ ସ୍ପିନରଙ୍କ ସାମ୍ନା କରି ନପାରି ୨୭.୧ ଓଭରରେ ମାତ୍ର ୯୯ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲା ଭ୍ରମଣକାରୀ ଦଳ । ତେବେ ୧୦୦ ରନର ଟାର୍ଗେଟକୁ ୭ ୱିକେଟରେ ହାସଲ କରି ସିରିଜ ହାତେଇଛି ଭାରତ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ମ୍ୟାଚକୁ ରୋହିତ ବାହିନୀ ୨-୧ରେ ହାତେଇବା ପରେ ଶିଖର ଧାୱନଙ୍କ ନେତୃତ୍ବରେ ଦିନିକିଆ ଖେଳିବାକୁ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ତେବେ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ବିତୀୟ ଦିନିକିଆ ଜିତି ସିରିଜ ବରାବର କରିଥିଲା ଶିଖର ବାହିନୀ । ଆଜି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ସିରିଜ ହାତେଇବାକୁ ଉଭୟ ଦଳ ଲକ୍ଷ ରଖିଥିବା ବେଳେ ଭାରତୀୟ ସ୍ପିନରଙ୍କୁ ସାମ୍ନା କରିପାରି ନଥିଲେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର । ଫଳରେ ମାତ୍ର ୯୯ ରନ ସଂଗ୍ରହ କରି ଭାରତକୁ ୧୦୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଭ୍ରମଣକାରୀ ଦଳ ।