ରାୟପୁର : ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ବିତୀୟ ଦିନିକିଆରେ ଭାରତର ଜବରଦସ୍ତ ବିଜୟ । ୮ ୱିକେଟରେ କିୱି ଦଳକୁ ପରାସ୍ତ କଲା ଟିମ ଇଣ୍ଡିଆ । ଆଜି (ଶନିବାର) ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୩୪.୩ ଓଭରରେ ମାତ୍ର ୧୦୮ ରନ କରି ଅଲ ଆଉଟ ହୋଇଥିଲା । ଜବାବରେ ଟିମ ଇଣ୍ଡିଆ ୨୦.୧ ଓଭରରେ ୨ଟି ୱିକେଟ ହରାଇ ୧୧୧ ରନ କରିଛି । ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଦ୍ବିତୀୟ ଦିନିକିଆ ବିଜୟ ପରେ ଭାରତ ୨-୦ ରେ ଆଗୁଆ ସିରିଜ ଜିତି ନେଇଛି ।
ବୋଲିଂ ପରେ ବ୍ୟାଟିଂରେ କମାଲ ଦେଖାଇଲା ମେନ୍ ଇନ୍ ବ୍ଲୁ । ପ୍ରଥମେ ଭାରତୀୟ ବୋଲର ରାୟପୁରରେ ନିଜର ଦବଦବା ଜାହିର କରିଥିଲେ । ଭାରତ ଟସ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ବ୍ଲାକ କ୍ୟାପ୍ସ୍ । ହେଲେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଆତ୍ମ ସମର୍ପଣ କରିଥିଲେ କିୱି ବ୍ୟାଟର । ନିୟମିତ ବ୍ୟବଧାନରେ ନ୍ୟଜିଲାଣ୍ଡର ୱିକେଟ ନେଇଥିଲେ ଭାରତୀୟ ବୋଲର । କିୱି ଦଳର ୩ ଜଣ ବ୍ୟାଟରଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରି ପାରିନଥିଲେ ।
ମହମ୍ମଦ ସାମି ୬ ଓଭର ବୋଲିଂ କରି ଗୋଟିଏ ମେଡେନ ନେଇଥିଲେ । ୧୮ ରନ ବ୍ୟୟରେ ସେ ସର୍ବାଧିକ ୩ ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଦୁଇ ଅଲରାଉଣ୍ଡର ହାର୍ଦ୍ଦକ ପାଣ୍ଡ୍ୟା ଏବଂ ୱାସିଙ୍ଗଟନ ସୁନ୍ଦର ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, କୂଲଦୀପ ଯାଦବ ଗୋଟିଏ ୱିକେଟ ନେଇଥିଲେ । ୧୦୯ରନ ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଭାରତ । ଅଧିନାୟକ ରୋହିତ ଶର୍ମା ଅର୍ଦ୍ଦଶତକୀୟ ପାଳି ଖେଳିଥିଲେ । ସେ ୫୦ ବଲରୁ ୭ ଟି ଚୌକା ଏବଂ ୨ ଟି ଛକା ବଳରେ ୫୧ ରନ କରିଥିଲେ । ସେହିପରି ଯୁବ ବ୍ୟାଟର ଶୁବମନ ଗିଲ ୫୩ ବଲରୁ ୬ ଟି ଚୌକା ସହ ୪୦ ରନ କରି ଅପରାଜିତ ରହିଥିଲେ । ବିରାଟ କୋହଲି ୧୧ ରନ ଏବଂ ଇଶାନ କିଶାନ ୯ ରନ କରିଥିଲେ ।
10.୩ ଓଭର ତଥା ୧୫ ରନ ବେଳକୁ ନ୍ୟଜିଲାଣ୍ଡର ଅଧା ୱିକେଟ ପାଭଲିୟନ ଲେଉଟି ଯାଇଥିଲା । ମାତ୍ର ୧୫ ରନ ବେଳକୁ ଦଳ ୫ ଟି ୱିକେଟ ହରାଇ ସାରିବା ପରେ ଦଳୀୟ ସ୍କୋର ପାଇଁ ଚାପ ବଢିବାରେ ଲାଗିଥିଲା । ଏହା ପରେ ମିଚେଲ ବ୍ରାସ ୱେଲ ଜଗି ରଖି ଖେଳିଥିଲେ । ସେ ୧୮.୩ ଓଭରରେ ସାମିଙ୍କ ବୋଲରେ ଦ୍ବାରା ଆଉଟ ହୋଇ ପାଭଲିୟନ ଫେରିଥିଲେ । ସେ ୩୦ ବଲରୁ ୩ ଟି ଚୌକା ସହ ୨୨ ରନର ଇନିଂସ ଖେଳିଥିଲେ । ଏହା ପରେ ମିଚେଲ ସାଣ୍ଟନର ଏବଂ ଗ୍ଲେନ ଫିଲିପ୍ସ ପାଳି ସମ୍ଭାଳି ଥିଲେ । ଉଭୟଙ୍କ ଇନିଂସ ବଳରେ ଦଳୀୟ ସ୍କୋର ଆଗକୁ ବଢିବାରେ ସକ୍ଷମ ହୋଇଥିଲା । ଗ୍ଲେନ ଫିଲିପ୍ସ ଧୀମା ବ୍ୟାଟିଂ ଜାରି ରଖି ୫୨ ବଲରୁ ୫ ଟି ଚୌକା ସହାୟତାରେ ୩୬ ରନ କରିଥିଲେ । ସେହିପରି ମିଚେଲ ସାଣ୍ଟନର ୩୯ ବଲରୁ ୩ ଟି ଚୌକା ସହିତ ୨୭ ରନ କରିଥିଲେ । ଏହି ତିନି ବ୍ୟାଟରଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରି ପାରିନଥିଲେ । ଏହି ସିରିଜର ତୃତୀୟ ଦିନିକିଆ ମ୍ୟାଚ ଜାନୁଆରୀ ୨୪ ତାରିଖ ଇନ୍ଦୋରରେ ଖେଳାଯିବ ।