ଗୌହାଟୀ: ସୂର୍ଯ୍ୟ ସେନାର ଚମକ ସହ ଲଗାତାର ଦ୍ବିତୀୟ ମ୍ୟାଚରେ ବାଜିମାତ ପରେ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ ଭାରତ । ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଜାରି ରହିଛି । ଆଜି (ମଙ୍ଗଳବାର) ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଗୌହାଟୀରେ ରାତି 7ଟାରେ ଖେଳାଯିବ ମ୍ୟାଚ । ପ୍ରଥମ ଓ ଦ୍ବିତୀୟ ମ୍ୟାଚ ଜିତି 2-0ରେ ଆଗୁଆ ଥିବା ଟିମ ଇଣ୍ଡିଆ ଲଗାତାର ତୃତୀୟ ବିଜୟ ସହ ଆଗୁଆ ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି । ବିଶ୍ବ ବିଜୟୀ କଙ୍ଗାରୁ ଦଳର ସବୁ ରଣନୀତି ଫେଲ ମାରିଛି । କଙ୍ଗାରୁ ଦଳ ପାଇଁ ଏକପ୍ରକାର କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇଟି ପରାଜୟ ପରେ ଆଜି ଖାତା ଖୋଲିବାକୁ ପ୍ରୟାସ କରିବ ଅଷ୍ଟ୍ରେଲିଆ ।
ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଜିତି ସିରିଜ ଆଗୁଆ ସିରିଜ ସିଲ କରିବାକୁ ଲକ୍ଷ୍ୟ ରଖିଛି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଭାରତ । ପ୍ରଥମ ଦୁଇ ମ୍ୟାଚରେ ବ୍ୟାଟିଂ ଓ ବୋଲିଂରେ କମାଲ କରି ବିଜୟ ହାସଲ କରିଥିଲା ଭାରତ । ଆଜି ତୃତୀୟ ମ୍ୟାଚରେ ମଧ୍ୟ ଉଭୟ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ । ବିଶେଷ କରି ବିସ୍ଫୋରକ ବ୍ୟାଟିଂ ଉପରେ ଫୋକସ ରଖିଛି ଟିମ । ଈଶାନ କିଶନ, ଯଶ୍ବସୀ ଜୈସ୍ବାଲଙ୍କ ବ୍ୟାଟିଂ ଉପରେ ଅଧିକ ନଜର ରହିବ । ଦ୍ବିତୀୟ ମ୍ୟାଚରେ ଈଶାନ କିଶନ 25 ବଲରେ 53ରନ କରିଥିଲେ । ଆଜି ମଧ୍ୟ ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି । ସେହିପରି ଯୁବ ବ୍ୟାଟର ଯଶସ୍ବୀ ଜୈସ୍ବାଲ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଦ୍ବିତୀୟ ମ୍ୟାରେ 44ରନରେ ବିଜୟ ହାସଲ କରିଥିଲା ଭାରତ । ପ୍ରଥମ ମ୍ୟାଚରେ ଦମଦାର ପାଳି ଖେଳିଥିବା ସୂର୍ଯ୍ୟକୁମାର ଯାଦବ ଆଉ 60 ରନ କଲେ ଚତୁର୍ଥ ଭାରତୀୟ ବ୍ୟାଟର ଭାବେ ଟି-ଟ୍ବେଣ୍ଟିରେ 2 ହଜାର ରନ ପୂରଣ କରିବେ । ବୋଲିଂରେ ରବି ବିଷ୍ଣୋଇଙ୍କ ଉପରେ ନଜର ରହିବ । ପୂର୍ବ ମ୍ୟାଚରେ ସେ ଘାତକ ସାବ୍ୟସ୍ତ ହୋଇଥିଲେ ।
ଅନ୍ୟପଟେ ଲାଗାତାର 2ଟି ମ୍ୟାଚ ହାରିବାର ପରେ କଙ୍ଗାରୁ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଗୌହାଟୀରେ ଦଳ ବିଜୟ ଖାତା ଖୋଲିବାକୁ ପ୍ରୟାସ କରିବ । ଅଧିନାୟକ ମାଥ୍ୟୁ ହେଡଙ୍କ ରଣନୀତି କାମ ଦେଉନାହିଁ । ଦଳ ଉପରେ ସୂର୍ଯ୍ୟସେନା ଭାରି ପଡିଛି । କଷ୍ଟକର ସ୍ଥିତିରେ ଦଳ ନିକଟରେ ଶ୍ରେଷ୍ଠ ପ୍ରଦର୍ଶନ କରିବାର କ୍ଷମତା ରହିଛି । ତେଣୁ ଆଜି ଦଳ ଖାତା ଖୋଲିବା ସହ ସିରିଜକୁ ଫେରିବାକୁ ପ୍ରୟାସ କରିବ ।
ଏହା ବି ପଢନ୍ତୁ...ଗୌହାଟୀରେ ଅଷ୍ଟ୍ରେଲିଆର ବିଜୟ ରେକର୍ଡ ୧୦୦ ପ୍ରତିଶତ, ଭାରତ ଜିତିଛି ଗୋଟିଏ ମ୍ୟାଚ୍