ନୂଆଦିଲ୍ଲୀ:ଗୋଟିଏ ସପ୍ତାହ ଘୁଞ୍ଚିପାରେ ଟିମ ଇଣ୍ଡିଆର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ । COVID-19ର ନୂଆ ଓମିକ୍ରନ ଭାରିଆଣ୍ଟ ଭୟ ଯୋଗୁଁ ଏହି ନିଷ୍ପତ୍ତି ନେଇପାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) । ଗୁରୁବାର ଜଣେ BCCI ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।
ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA) ନିରନ୍ତର ସଂପର୍କରେ ରହିଛନ୍ତି ଓ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଲୋଚନା କରୁଛନ୍ତି ବୋଲି BCCIର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
‘ଓମିକ୍ରନ COVID ଭାରିଆଣ୍ଟ ଭୟ ଯୋଗୁଁ ସିରିଜ ଗୋଟିଏ ସପ୍ତାହ ଘୁଞ୍ଚାଇବାକୁ ଆଲୋଚନା ଜାରି ରହିଛି । ଭାରତ ସରକାରଙ୍କ ନିଷ୍ପତ୍ତିକୁ ମଧ୍ୟ ଅପେକ୍ଷା ରହିଛି । ଉଭୟ ବୋର୍ଡ ନିରନ୍ତର ସଂପର୍କରେ ରହିଛନ୍ତି ଓ ସମସ୍ତ ବିଷୟ ଉପରେ ସକରାତ୍ମକ ଆଲୋଚନା ହେଉଛି । ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକତା ଆଧାରରେ ନିଷ୍ପତ୍ତି’, ହେବାନେଇ କହିଛନ୍ତି ବରିଷ୍ଠ BCCI ଅଧିକାରୀ ।
ଆସନ୍ତା ମାସରେ ଭାରତ ୩ଟିକିଆ ଟେଷ୍ଟ ସିରିଜ, ୩ଟି ଦିନିକିଆ ଓ ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତ(India tour of SA) କରିବା ନେଇ ସୂଚୀ ରହିଛି । ଏହି ଗସ୍ତ ଡିସେମ୍ବର ୧୭ରୁ ଆରମ୍ଭ ହେବାନେଇ ସୂଚୀ ରହିଛି ।
ପୂର୍ବରୁ, କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ସ୍ପଷ୍ଟ କରିଥିଲେ ଯେ, ଭାରତୀୟ କ୍ରିକେଟ ଟିମକୁ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଦେଶ, ଦକ୍ଷିଣ ଆଫ୍ରିକା ପଠାଇବା ପୂର୍ବରୁ BCCI ଭାରତ ସରକାରଙ୍କ ସହ ପରାମର୍ଶ କରିବା ଉଚିତ୍ ।