ସେଞ୍ଚୁରିଅନ:ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଦମଦାର ବିଜୟ । ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୧୧୩ ରନ୍ରେ ଜିତିନେଇଛି ବିରାଟ ବାହିନୀ । ଏଥିସହ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ସେଞ୍ଚୁରିଅନ ଗ୍ରାଉଣ୍ଡରେ ଟିମ ଇଣ୍ଡିଆର ଏହା ପ୍ରଥମ ଟେଷ୍ଟ ମ୍ୟାଚ୍ ବିଜୟ । ଫଳରେ ଐତିହାସିକ ବିଜୟ ସହ ୨୦୨୧ବର୍ଷ ଶେଷ କରିଛି ଟିମ ଇଣ୍ଡିଆ ।
୩୦୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦକ୍ଷିଣ ଆଫ୍ରିକା ଟିମକୁ ୧୯୧ ରନ୍ରେ ଅଲଆଉଟ୍ କରିଥିଲା ଟିମ ଇଣ୍ଡିଆ । ଲଞ୍ଚ୍ ବ୍ରେକ୍ ପରେ ୧୮୨/୭ରୁ ଖେଳ ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ମାତ୍ର ଦୁଇ ଓଭର ମଧ୍ୟରେ ଶେଷ ୩ ୱିକେଟ ହାତେଇଥିଲେ ଭାରତୀୟ ବୋଲର । ପ୍ରଥମ ମହମ୍ମଦ ସାମି ୱିକେଟ କିପର ଋଷଭ ପନ୍ତଙ୍କ ଦ୍ବାରା ଡେବ୍ୟୁ ମ୍ୟାଚ ଖେଳୁଥିବା ମାର୍କୋ ଜାନସେନଙ୍କୁ ଓ ପରେ ରବିଚନ୍ଦ୍ରନ ଅଶ୍ବିନ କାଗିସୋ ରବାଡା ଓ ଲୁଙ୍ଗି ନିଙ୍ଗିଡିଙ୍କୁ ଆଉଟ୍ କରି ଭାରତକୁ ବିଜୟ ଦେଇଥିଲେ । ସାମି ଦ୍ବିତୀୟ ଇଂନିସରେ ୩ଟି ୱିକେଟ ସହ ମ୍ୟାଚ୍ରେ ମୋଟ ୮ଟି ୱିକେଟ ହାସଲ କରିଛନ୍ତି । ସେହିପରି ବୁମରା ୫ଟି ୱିକେଟ ଅକ୍ତିଆର କରିଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଦ୍ବିତୀୟ ଇଂନିସରେ କ୍ୟାପଟେନ ଡିନ ଏଲଗାର ସର୍ବାଧିକ ୭୭ ରନ୍ର ଇଂନିସ ଖେଳିଥିଲେ ଓ ତେମ୍ବା ବାଭୁମା ୩୫ ରନ୍ରେ ଅପରାଜିତ ରହିଥିଲେ ।