ହାଇଦ୍ରାବାଦ:ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭାରତ ଗତକାଲି (ବୁଧବାର) ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା । ଆଜି ଅଷ୍ଟ୍ରେଲିଆ ବିପକ୍ଷ ଟିମ ସାଉଥ ଆଫ୍ରିକାକୁ ୩ ୱିକେଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି । ଆସନ୍ତା ୧୯ ତାରିଖରେ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ୍ । ଫାଇନାଲ ଫାଇଟରେ ମୁହାଁମୁହିଁ ହେବେ କଙ୍ଗାରୁ ଟିମ ଓ 'ମେନ୍ ଇନ ବ୍ଲ୍ୟୁ' । ତେବେ ଆପଣ ଜାଣନ୍ତି କି ଦୀର୍ଘ ୨୦ ବର୍ଷ ପରେ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବକପ ଫାଇନାଲରେ ପରସ୍ପରକୁ ଭେଟିବେ । ତେବେ ଭାରତ ୨୦ ବର୍ଷର ପ୍ରତିଶୋଧ ନେବାରେ ସକ୍ଷମ ହେବ କି ? ଏ ନେଇ କ୍ରିକେଟ ପ୍ରେମୀଙ୍କ ମନରେ ଭରିଯାଇଛି ଉତ୍କଣ୍ଠା ।
୨୦୦୩ ଦିନିକିଆ ବିଶ୍ବକପ ମ୍ୟାଚ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ଫାଇନାଲ ମ୍ୟାଚ୍ । ଯେଉଁଥିରେ ଅଷ୍ଟ୍ରେଲିଆ ବିପୁଳ ବିଜୟ ହାସଲ କରିଥିଲା । ଏହି ମ୍ୟାଚ୍ରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । କଙ୍ଗାରୁ ଟିମ ୫୦ ଓଭର ଖେଳି ମାତ୍ର ୨ଟି ୱିକେଟ ପତନରେ ୩୫୯ ବିଶାଳ ଟାର୍ଗେଟ ଦେଇଥିଲା । ଏହି ମ୍ୟାଚ୍ରେ ରିକି ପଏଣ୍ଟିଂ ଦମଦାର ଶତକ ହାସଲ କରିଥିଲେ । ସେ ୧୨୧ ବଲରେ ୪ଟି ଚୌକା ଓ ୮ଟି ଛକା ସହ ୧୪୦ ରନ୍ କରିଥିଲେ । ସେହିପରି ଓପନର ଆଡମ ଗିଲକ୍ରିଷ୍ଟ ୫୭ ଓ ଅନ୍ୟତମ ଓପନର ମାଥ୍ୟୁ ହେଡନ ୩୭ ରନ କରିଥିଲେ । ଡାମିଏନ ମାର୍ଟିନ ମଧ୍ୟ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୮୪ ବଲ୍ରେ ୮୮ଟି ରନ୍ କରିଥିଲେ । ଏହାରି ସହିତ ଭାରତକୁ ୩୫୯ ରନ୍ର ବିଶାଳ ଟାର୍ଗେଟ ଦେଇଥିଲା କଙ୍ଗାରୁ ଟିମ ।
ଏହା ବି ପଢନ୍ତୁ- ଦକ୍ଷିଣ ଆଫ୍ରିକାର ବିଶ୍ବକପ ଯାତ୍ରା ଶେଷ, ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଫାଇଟ