ନାଗପୁର:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି (ଶୁକ୍ରବାର) ଖେଳାଯିବ ୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ଦ୍ବିତୀୟ ମ୍ୟାଚ । ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ପ୍ରଥମ ମୁକାବିଲା ହାରିବା ପରେ ଆଜିର ମ୍ୟାଚ୍ ଭାରତ ପାଇଁ 'କର ବା ମର' ସଦୃଶ ହୋଇଛି । ପୂର୍ବ ତ୍ରୁଟିକୁ ସୁଧାରି ଆଜି ଭାରତକୁ ଉନ୍ନତ ପ୍ରଦର୍ଶନ କରିବାକୁ ହେବ ନଚେତ୍ ସିରିଜ ହାତରୁ ଖସିବାଟା ନିଶ୍ଚୟ ।
ମୋହାଲି ଭୁଲ୍ର ଯେପରି ପୁନରାବୃତ୍ତି ନହୁଏ ସେ ଦିଗରେ ଦଳକୁ ପ୍ରସ୍ତୁତ ରହିବାକୁ ପଡିବ । ଆଜିର ମୁକାବିଲା ଜିତି ଭାରତ ସିରିଜ ବରାବର ଲକ୍ଷ୍ୟରେ ରହିଛି । ସେପଟେ ପ୍ରଥମ ମ୍ୟାଚ ଜିତି ଦୃଢ ମନୋବଳରେ ରହିଛି ଅଷ୍ଟ୍ରେଲିଆ । ମୋହାଲି ପ୍ରଦର୍ଶନ ଦୋହରାଇ ସିରିଜ କବଜା କରିବାକୁ ଯୋଜନା କରିଛି ଦଳ ।
ଏହା ବି ପଢନ୍ତୁ...Legends League Cricket, ଆଜିଠୁ ଅଫଲାଇନ ଟିକେଟ ବିକ୍ରି
ଭାରତର ଡେଥ୍ ଓଭର ବୋଲିଂର ସମସ୍ୟା ରହିଛି । ବିଶାଳ ସ୍କୋର ପରେ ବି ପ୍ରଭାବହୀନ ଡେଥ ବୋଲିଂ ପାଇଁ ପ୍ରଥମ ମୁକାବିଲା ହାରିଥିଲା ଭାରତ । ଭାରତୀୟ ପିଚ୍ରେ ଟସ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିଲେ ମଧ୍ୟ ଉପଯୁକ୍ତ ରଣ କୌଶଳ ଓ ପ୍ରଭାବୀ ବୋଲିଂ ଦଳ ପାଇଁ ବିଜୟରେ ସହାୟକ ହେବ । ଆଗକୁ ଟି-ଟ୍ବେଣ୍ଟି ବିଶ୍ବ କପ ଥିବା ଭାରତକୁ ସମସ୍ତ ତ୍ରୁଟି ସୁଧାରିବାକୁ ପଡିବ । ବିଶେଷ କରି ଡେଥ ଓଭର ବୋଲିଂ ବିଫଳତା ସମସ୍ୟା ଦୂର କରିବାକୁ ଦଳ ପାଇଁ ପ୍ରଥମ କାର୍ଯ୍ୟ ରହିବ । ବିଶେଷ କରି ଗୁରୁତ୍ବପୂର୍ଣ୍ଣ ୧୯ତମ ଓଭରରେ ଅଭିଜ୍ଞ ବୋଲର ଭୁବନେଶ୍ବର କୁମାର ମହଙ୍ଗା ସାବ୍ୟସ୍ତ ହେବା ଚିନ୍ତା ବଢାଇଛି ।