ଇସଲାମାବାଦ(ପାକିସ୍ତାନ): ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ୨୦୨୩କୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ(PCB chief Ramiz Raja) ଅଧ୍ୟକ୍ଷ ରମିଜ ରାଜାଙ୍କ ବଡ ବୟାନ । ଯଦି ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ନ ଯାଏ, ତେବେ ଭାରତରେ ହେବାକୁ ଥିବା ୨୦୨୩ ପୁରୁଷ ଦିନିକିଆ ବିଶ୍ବକପ(2023 ODI WC) ଖେଳିବାକୁ ଆସିବନି ପାକିସ୍ତାନ ଟିମ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଓ ବିସିସିଆଇ ଉଦ୍ଦେଶ୍ୟରେ ଏପରି କିଛି ଧମକପୂର୍ଣ୍ଣ କଥା କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ।
ପୂର୍ବରୁ ଅକ୍ଟୋବରରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସମ୍ପାଦକ ଜୟ ଶାହ ଟିମ ଇଣ୍ଡିଆର ପାକିସ୍ତାନ ଗସ୍ତ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ସ୍ପଷ୍ଟ କରିଥିଲେ ଯେ, ଭାରତୀୟ ଟିମ ପାକିସ୍ତାନ ଯିବ ନାହିଁ । ଏସିଆ କପ୍ ଟୁର୍ଣ୍ଣାମେଣ୍ଟ(Asia Cup) ଏକ ନ୍ୟୁଟ୍ରାଲ୍ ଭେନ୍ୟୁରେ ହେବ । ବିସିସିଆଇର ଏହି ସ୍ପଷ୍ଟୀକରଣ ପରେ ରାଜା ଭାରତକୁ କଟାକ୍ଷ କରିଥିଲେ ଓ କହିଥିଲେ ବିଲିଅନ ଡଲାର ଅର୍ଥନୀତିର ବୋର୍ଡକୁ ଗୋଟିଏ ବର୍ଷ ମଧ୍ୟରେ ଦୁଇଥର ହରାଇଛୁ । ୨୦୨୧ ଟି୨୦ ବିଶ୍ବକପ ଓ ଚଲିତ ବର୍ଷ ଏସିଆ କପ୍ରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ଠାରୁ ଟିମ ଇଣ୍ଡିଆର ପରାଜୟ ଆଧାରରେ ଏପରି କଟାକ୍ଷ କରିଥିଲେ ରାଜା ।
ଶୁକ୍ରବାର ଗଣମାଧ୍ୟମକୁ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ରମିଜ ରାଜା କହିଛନ୍ତି, "ଯଦି ସେମାନେ(ଭାରତୀୟ ଟିମ) ଆସିବେ, ଆମେ ବିଶ୍ବକପ ଖେଳିବାକୁ ଯିବୁ, ମାତ୍ର ଯଦି ସେମାନେ ଆସିବାକୁ ଚାହୁଁନାହାନ୍ତି ନ ଆସନ୍ତୁ । ତାଙ୍କୁ ପାକିସ୍ତାନ ବିନା ଖେଳିବାକୁ ହେବ । ଯଦି ଭାରତରେ ଆୟୋଜିତ ହେବାକୁ ସୂଚୀ ରହିଥିବା ବିଶ୍ବକପରେ ପାକିସ୍ତାନ ଅଂଶଗ୍ରହଣ ନ କରେ, ତେବେ ଏହାକୁ କିଏ ଦେଖିବ ? ଆମେ ଆକ୍ରମଣାତ୍ମଣ ରଣନୀତି ଆପଣାଇବୁ, ଆମର ଟିମ ଭଲ ପ୍ରଦର୍ଶନ କରୁଛି । ଆମେ ବିଶ୍ବର ବଡ ବ୍ୟବସାୟ ଦେଉଥିବା କ୍ରିକେଟ ଟିମକୁ ହରାଇଛୁ, ଆମେ ଟି୨୦ ବିଶ୍ବକପର ଫାଇନାଲ ଖେଳିଛୁ ।"
ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ସବୁବେଳେ କହିଆସିଛି, ଆମେ ପାକିସ୍ତାନ କ୍ରିକେଟର ଅର୍ଥିନୀତିକୁ ସୁଧାରିବାକୁ ଚାହୁଁଛୁ, ଯାହାକି କେବଳ ସମ୍ଭବ ସେତେବେଳେ, ଯେତେବେଳେ ଆମର ଟିମ ଭଲ ପ୍ରଦର୍ଶନ କରିବ । ୨୦୨୧ ଟି୨୦ ବିଶ୍ବକପରେ ଆମେ ଭଲ ପ୍ରଦର୍ଶନ କରିଛୁ । ଆମେ ଭାରତକୁ ହରାଇଛୁ, ଏସିଆ କପ୍ରେ ଭାରତକୁ ହରାଇଛୁ, ଯାହାକି ପାକିସ୍ତାନ କ୍ରିକେଟ ଟିମ ଗୋଟିଏ ବର୍ଷ ମଧ୍ୟରେ ବିଲିୟନ ଡଲାର କ୍ରିକେଟ ବୋର୍ଡକୁ ଦୁଇଥର ହରାଇଛି ।"
ନ୍ୟୁଟ୍ରାଲ ଭେନ୍ୟୁରେ ଏସିଆ କପ୍ ଆୟୋଜନ ନେଇ ଶାହଙ୍କ ବୟାନ ପରେ, PCB ଏକ ବିବୃତି ଜାରି କରିଥିଲା, ଯେଉଁଥିରେ ଲେଖାଥିଲା, "ଏପରି ବୟାନର ପ୍ରଭାବ ଏସୀୟ ଓ ଅନ୍ତର୍ଜାତୀୟ କ୍ରିକେଟ ସମୁଦାୟ ମଧ୍ୟରେ ଭାଗ ହେବାକୁ ବଳ ଯୋଗାଇବ । ଏଥିସହ ୨୦୨୩ କ୍ରିକେଟ ବିଶ୍ବକପ ପାଇଁ ପାକିସ୍ତାନର ଭାରତ ଗସ୍ତ ଓ ୨୦୨୪-୨୦୩୧ ସାଇକେଲ ମଧ୍ୟରେ ଭାରତରେ ହେବାକୁ ଥିବା ଭବିଷ୍ୟତର ICC ଇଭେଣ୍ଟ ଉପରେ ପଡିବ ।"