ଓଡିଶା

odisha

ETV Bharat / sports

ଆଇସିସି ରାଙ୍କିଂ: ଟପ୍‌ରେ ଭାରତୀୟଙ୍କ ଦବଦବା, ଶୀର୍ଷ ସ୍ଥାନ ଦଖଲ ଲକ୍ଷ୍ୟରେ ରୋହିତ-କୋହଲି - ବିରାଟ କୋହଲି

ବିଶ୍ବକପ୍‌ ୨୦୨୩ରେ ପରାଜୟ ପରେ ମଧ୍ୟ ଆଇସିସି ରାଙ୍କିଂରେ ଦବଦବା ଜାରି ରଖିଛି ଭାରତ । ଟିମ୍‌ ରାଙ୍କିଂରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବ୍ୟାଟିଂ ରାଙ୍କିଂରେ ଟପ୍‌-୫ରେ ରହିଛନ୍ତି ୩ ଭାରତୀୟ । ଶୀର୍ଷରେ ଗିଲ୍‌ ରହିଥିବାବେଳେ ୩ୟରେ କୋହଲି ଓ ୪ର୍ଥରେ ପହଞ୍ଚିଛନ୍ତି ରୋହିତ ଶର୍ମା । ଅଧିକ ପଢ଼ନ୍ତୁ

ଶୀର୍ଷ ସ୍ଥାନ ଦଖଲ ଲକ୍ଷ୍ୟରେ ରୋହିତ-କୋହଲି
ଶୀର୍ଷ ସ୍ଥାନ ଦଖଲ ଲକ୍ଷ୍ୟରେ ରୋହିତ-କୋହଲି

By ETV Bharat Odisha Team

Published : Nov 22, 2023, 9:25 PM IST

ହାଇଦ୍ରାବାଦ: ବିଶ୍ବକପ୍‌ ପରାଜୟ ସତ୍ତ୍ବେ ଏବେ ଆଇସିସି ଦିନିକିଆ ରାଙ୍କିଂ ଶୀର୍ଷରେ ଉଡ଼ୁଛି ତ୍ରିରଙ୍ଗା । ଦୀର୍ଘ ଦିନ ଧରି ଆଇସିସି ଦିନିକିଆ ରାଙ୍କିଂରେ ଶୀର୍ଷ ସ୍ଥାନରେ ବସିଥିବା ବିରାଟ କୋହଲି ଏବେ ପୁଣି ଏହି ସ୍ଥାନ ପାଇଁ ଆଗେଇ ଆସିଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତା ଅନୁଯାୟୀ ବ୍ୟାଟର ରାଙ୍କିଂ ଟପ୍‌ ୫ରେ ୩ ଭାରତୀୟ ରହିଛନ୍ତି । ବିରାଟ ଏବେ ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଂର ୩ୟ ସ୍ଥାନରେ ପହଞ୍ଚିଥିବାବେଳେ ଅଧିନାୟକ ରୋହିତ ଶର୍ମା ୪ର୍ଥ ସ୍ଥାନକୁ ଲମ୍ଫ ମାରିଛନ୍ତି । ପୂର୍ବରୁ ବାବରଙ୍କୁ ହଟାଇ ଶୀର୍ଷ ସ୍ଥାନ ଅଳଙ୍କୃତ କରିଛନ୍ତି ଶୁଭମନ ଗିଲ୍‌ ।

ଟପ୍‌-୫ରେ ୩ ଭାରତୀୟ ବ୍ୟାଟର: ବିଶ୍ବକପ୍‌ ୨୦୨୩ରେ ଭାରତୀୟ ବ୍ୟାଟରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେମିଫାଇନାଲରେ ବିରାଟ ରେକର୍ଡ ୫୦ତମ ଶତକ ହାସଲ କରି ମହାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଥିଲେ । ଫାଇନାଲରେ ମଧ୍ୟ ସେ ୫୪ ରନର ପାଳି ଖେଳିଥିଲେ । ଏଥିପାଇଁ ତାଙ୍କୁ ରାଙ୍କିଂରେ ଫାଇଦା ମିଳିଛି । ସେ ୭୯୧ ରେଟିଂ ପଏଣ୍ଟ ସହ ୩ୟ ସ୍ଥାନରେ ପହଞ୍ଚିଛନ୍ତି । ପ୍ରଥମ ସ୍ଥାନରେ ଥିବା ଶୁଭମନ ଗିଲ୍‌ଙ୍କ ରେଟିଂ ପଏଣ୍ଟ ୮୨୬ ରହିଥିବାବେଳେ ୮୨୪ ପଏଣ୍ଟ ସହ ୨ୟରେ ଅଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ । ସେହିଭଳି ରୋହିତ ଶର୍ମା ରାଙ୍କିଂର ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ୪ର୍ଥ ସ୍ଥାନ ପାଇଁ ସେ ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ ଡି'କକ୍‌ଙ୍କୁ ପଛରେ ପକାଇଛନ୍ତି । ସେପଟେ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ ପରେ ୧୨ତମ ସ୍ଥାନକୁ ଲମ୍ଫ ମାରିଛନ୍ତି ଶ୍ରେୟସ ଆୟର ।

ଏହା ମଧ୍ୟ ପଢ଼ନ୍ତୁ...ଆଇସିସିର ନୂଆ ନିୟମ: ଏଣିକି ଫାଇନ୍‌ ନୁହେଁ, ଲାଗିବ ୫ ରନ୍‌ ପେନାଲ୍ଟି

ବୋଲିଂ ରାଙ୍କିଂ ଟପ୍‌-୧୦ରେ ଭାରତରୁ ୪: ଅନ୍ୟପଟେ ଆଇସିସି ଦିନିକିଆ ବୋଲିଂ ରାଙ୍କିଂରେ ଟପ୍‌-୧୦ରେ ୪ ଜଣ ଭାରତୀୟ ବୋଲର ରହିଛନ୍ତି । ମହମ୍ମଦ ସିରାଜ ୬୯୯ ରେଟିଂ ପଏଣ୍ଟ ସହ ୩ୟ ସ୍ଥାନରେ ରହିଥିବାବେଳେ ୬୮୫ ରେଟିଂ ସହ ୪ର୍ଥରେ ରହିଛନ୍ତି ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରା । ସେହିଭଳି କୁଲଦୀପ ଯାଦବ ୬୬୭ ପଏଣ୍ଟ ସହ ୭ମରେ ରହିଛନ୍ତି । ୬୪୮ ପଏଣ୍ଟ ସହ ୧୦ମ ସ୍ଥାନରେ ରହିଛନ୍ତି ବିଶ୍ବକପ୍‌ ୨୦୨୩ର ସର୍ବାଧିକ ୱିକେଟ୍‌ ହାସଲକାରୀ ମହମ୍ମଦ ଶାମି । ସେପଟେ ଅଲରାଉଣ୍ଡର ରାଙ୍କିଂରେ ଟପ୍‌ ୧୦ରେ କେବଳ ରବୀନ୍ଦ୍ର ଜାଡେଜା ୧୦ମ ସ୍ଥାନରେ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସର୍ବଶ୍ରେଷ୍ଠ ଦଳ ଚୟନ କଲା ଆଇସିସି: ରୋହିତ ଅଧିନାୟକ, ଦଳରେ ୬ ଭାରତୀୟ

ଟିମ୍‌ ରାଙ୍କିଂରେ ଭାରତ No.1: ବିଶ୍ବକପ୍‌ରେ ପରାଜୟ ସତ୍ତ୍ବେ ଭାରତ ଆଇସିସି ଦିନିକିଆ ଟିମ୍‌ ରାଙ୍କିଂରେ ଶୀର୍ଷ ସ୍ଥାନ ବଜାୟ ରଖିଛି । ୨୬୫ ରେଟିଂ ସହ ୧ମ ସ୍ଥାନରେ ରହିଛି ଟିମ୍‌ ଇଣ୍ଡିଆ । ସେହିଭଳି ୨୫୯ ରେଟିଂ ପାଇ ଇଂଲଣ୍ଡ ଦ୍ବିତୀୟ ସ୍ଥାନରେ ରହିଛି । ତୃତୀୟରେ ଥିବା ନ୍ୟୁଜିଲାଣ୍ଡ ୨୫୫ ରେଟିଂ ପାଇଥିବାବେଳେ ୨୫୨ ରେଟିଂ ସହ ୪ର୍ଥ ସ୍ଥାନରେ ରହିଛି ବିଶ୍ବକପ୍‌ ଚମ୍ପିଆନ ଅଷ୍ଟ୍ରେଲିଆ । ସେହିଭଳି ୫ମ ସ୍ଥାନରେ ପାକିସ୍ତାନ ରହିଛି । ଏହାର ରେଟିଂ ପଏଣ୍ଟ ରହିଛି ୨୫୧ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details