ପୁଣେ:ଚଳିତ ଆଇପିଏଲରେ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ଗୁଜୁରାଟ ଟାଇଟନ୍ସ । ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ଓ ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୪ ରନରେ ପରାସ୍ତ କରିଛି । ଶୁଭମନ ଗିଲଙ୍କ ଅର୍ଦ୍ଧଶତକ ଓ ଲୋକି ଫର୍ଗୁସନଙ୍କ ଘାତକ ବୋଲିଂ ବଳରେ ଦଳ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି । ଶନିବାର ଖେଳାଯାଇଥିବା ମ୍ୟାଚରେ ଟାଇଟନ୍ସ ପ୍ରଥମେ ବ୍ୟାଟଂ କରି ୬ ୱିକେଟ ହରାଇ ୧୭୧ ରନ କରିଥିଲା । ଜବାବରେ ଦିଲ୍ଲୀ ୯ ୱିକେଟ ହରାଇ ମାତ୍ର ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା । ଫର୍ଗୁସନ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।
ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଟସ ଜିତି ଟାଇଟନ୍ସକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ପ୍ରଥମ ଓଭରରେ ମାଥ୍ୟୁ ୱେଡ ଆଉଟ ହୋଇଥିଲେ । ଏହାପରେ ବିଜୟ ଶଙ୍କର ଓ ଶୁଭମନ ଗିଲ ମିଶି ଦଳୀୟ ସ୍କୋରକୁ ୪୪ରେ ପହଞ୍ଚାଇଥିଲେ । କୁଳଦୀପ ଯାଦବ ସପ୍ତମ ଓଭରରେ ଶଙ୍କରଙ୍କୁ ପାଭିଲିୟନ ପଠାଇଥିଲେ । ଗିଲ ସ୍ଥିତି ସମ୍ଭାଳି ଖେଳିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜରେ ଯୋଗ ଦେବା ପରେ ସ୍କୋର ଦ୍ରୁତ ଗତିରେ ଗଡିଥିଲା । ଦଳୀୟ ସ୍କୋର ୧୦୯ ବେଳେ ପାଣ୍ଡ୍ୟା ୩୧ ରନ କରି ଆଉଟ ହୋଇଥିଲେ । ପରେ ପରେ ଗିଲ ୪୬ ବଲରେ ୮୪ ରନ କରି ଆଉଟ ହୋଇଥିଲେ । ଅନ୍ତିମ ଭାଗରେ ଡେଭିଡ ମିଲର ଅପରାଜିତ ୨୦ ରାହୁଲ ତେୱାତିଆ ୧୪ରନ କରି ଦଳୀୟ ସ୍କୋର ୧୭୧ରେ ପହଞ୍ଚାଇଥିଲେ ।