ହାଇଦ୍ରାବାଦ: ବିଶ୍ବ କ୍ରିକେଟ୍ର ସବୁଠାରୁ ବଡ଼ ଘରୋଇ ଲିଗ୍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ୍ । ଚଳିତ ମାସ (ଡିସେମ୍ବର) ତୃତୀୟ ସପ୍ତାହରେ ହୋଇପାରେ ଆଇପିଏଲ୍ ୨୦୨୪ ପାଇଁ ମିନି ଅକ୍ସନ । ଏହା ପୂର୍ବରୁ ଆଇପିଏଲ୍ ଟ୍ରେଡ୍ ୱିଣ୍ଡୋ ବନ୍ଦ ହୋଇଛି । ସମସ୍ତ ଫ୍ରାଞ୍ଚାଇଜ୍ ଅନେକ ଖେଳାଳିଙ୍କୁ ରିଲିଜ କରିଥିବାବେଳେ ଭରସାଯୋଗ୍ୟ ଖେଳାଳିଙ୍କୁ ରିଟେନ୍ ରଖିଛନ୍ତି । ଏହି କ୍ରମରେ ବିଶ୍ବକପ୍ରେ ଓ ଭାରତ ବିପକ୍ଷ ଟି୨୦ରେ ଜବରଦସ୍ତ ଫର୍ମ ଦେଖାଇଥିବା ଅଷ୍ଟ୍ରେଲୀୟ ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କୁ ରିଟେନ୍ ରଖିଛି ଆର୍ସିବି । ଏହାରି ଭିତରେ ଆଇପିଏଲ୍କୁ ନେଇ ଏକ ବଡ଼ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଏହି ଧୂଆଁଧାର ଖେଳାଳି । ଭାରତୀୟ ଷ୍ଟାର ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଏବି ଡି'ଭିଲିୟର୍ସଙ୍କୁ ନେଇ ମଧ୍ୟ ବଡ଼ କଥା କହିଛନ୍ତି ମ୍ୟାକ୍ସୱେଲ୍ ।
ଅଷ୍ଟ୍ରେଲିଆକୁ ଦିନିକିଆ ବିଶ୍ବକପ ୨୦୨୩ରେ ଚମ୍ପିଆନ୍ କରାଇବାରେ ମ୍ୟାକ୍ସୱେଲ୍ଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଏହାପରେ ଭାରତ ବିପକ୍ଷ ଟି୨୦ ସିରିଜରେ କେବଳ ଗୋଟିଏ ମ୍ୟାଚ୍ ଖେଳି ସେ ଧୂଆଁଧାର ଶତକ ହାସଲ କରିଥିଲେ । ତେବେ ସିରିଜ ଅଧାରୁ ସେ ସ୍ବଦେଶ ଫେରି ଯାଇଥିଲେ । ଗୋଟିଏ ସପ୍ତାହର ବିଶ୍ରାମ ପରେ ଏବେ ବିଗ୍ ବାସ୍ ଲିଗ୍ରେ ମେଲବର୍ଣ୍ଣ ଷ୍ଟାର୍ସ ଦଳର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ମ୍ୟାକ୍ସୱେଲ । ଏଥିପାଇଁ ମେଲବର୍ଣ୍ଣ ଏୟାରପୋର୍ଟରେ ପହଞ୍ଚିବା ପରେ ସେ ବିଦେଶୀ ପତ୍ରକାରଙ୍କ ସହ ଆଇପିଏଲ୍ ଉପରେ ଚର୍ଚ୍ଚା କରିଥିଲେ । ଏଠାରେ ମ୍ୟାକ୍ସୱେଲ୍ କହିଛନ୍ତି, "ଆଇପିଏଲ୍ ବୋଧହୁଏ ମୋର ଶେଷ ଟୁର୍ଣ୍ଣାମେଣ୍ଟ ହେବ, ଯାହାକୁ ମୁଁ ଯେକୌଣସି ପରିସ୍ଥିତିରେ ମଧ୍ୟ ଖେଳିବି । କାରଣ ମୁଁ ସେତେବେଳ ପର୍ଯ୍ୟନ୍ତ ଆଇପିଏଲ୍ ଖେଳିବି, ଯେତେବେଳ ଯାଏଁ ମୁଁ ଚାଲି ପାରୁଥିବି । ମୋର ସମ୍ପୂର୍ଣ୍ଣ କ୍ୟାରିୟରରେ ଆଇପିଏଲ୍ ମୋ ପାଇଁ ବହୁତ ଲାଭଦାୟକ ରହିଛି । ଏହାଦ୍ବାରା ଯେଉଁମାନଙ୍କ ସହ ମୁଁ ମିଶିଛି, ଯେଉଁ କୋଚ୍ଙ୍କ ଠାରୁ ଯାହା ଶିଖିଛି, ଯେଉଁଭଳି ମହାନ ଖେଳାଳିଙ୍କ ସହ କାନ୍ଧରେ କାନ୍ଧ ମିଶାଇବା ସୁଯୋଗ ମିଳୁଛି, ସେସବୁ ମୋ କ୍ରିକେଟ କ୍ୟାରିୟର ପାଇଁ ବେଶ ଲାଭଦାୟକ ।"