ଇସଲାମାବାଦ:ପ୍ରଥମ ଦିନିକିଆ ପାଇଁ ମାତ୍ର ଆଉ କେଇ ଘଣ୍ଟା ବାକି ଥିଲା । ହେଲେ ଏହାପୂର୍ବରୁ ହିଁ ସୁରକ୍ଷାଗତ ସମସ୍ୟା ଦର୍ଶାଇ ଗସ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଦଳ । ଯାହାଫଳରେ ପାକିସ୍ତାନ କ୍ରିକେଟ ବୋର୍ଡକୁ ଆଗାମୀ ଦିନରେ ଏକ ବଡ଼ କ୍ଷତି ସହିବାକୁ ପଡ଼ିପାରେ ବୋଲି ଆଲୋଚନା ହେଉଛି । ୨୦୦୩ ମସିହା ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲା ନ୍ୟୁଜିଲାଣ୍ଡ ଦଳ । ହେଲେ ଟସ୍ ପଡ଼ିବା ପୂର୍ବରୁ ପାକିସ୍ତାନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଦଳ ।
ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡର ନବ ନିଯୁକ୍ତ ସଭାପତିଙ୍କ ସହ ବହୁ ପୂର୍ବତନ କ୍ରିକେଟର ଚିହିଁକି ଉଠିଛନ୍ତି । ରମିଜ ରାଜା ଓ ଶାହିଦ ଆଫ୍ରିଦି ଟ୍ବିଟ୍ କରି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡକୁ ଘେରିଛନ୍ତି । ସେପଟେ ସୋଏବ ଅଖତର ମଧ୍ୟ ନିଜ ୟୁ୍ଟ୍ୟୁବ୍ ଚ୍ୟାନେଲରେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡକୁ ଭର୍ତ୍ସନା କରିଛନ୍ତି ।
ପାକିସ୍ତାନ କ୍ରିକେଟ ବୋର୍ଡର ନବ ନିଯୁକ୍ତ ସଭାପତି ରମିଜ ରାଜା ଟ୍ବିଟ୍ କରି କହିଛନ୍ତି ଯେ, "ଆଜିର ଦିନ ଅତ୍ୟନ୍ତ ମର୍ମାହତ କରିଛି । ପାକିସ୍ତାନ ଦଳ ଓ କ୍ରିକେଟ ଫ୍ୟାନଙ୍କ ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ । ସୁରକ୍ଷାଗତ ସମସ୍ୟା ଦର୍ଶାଇ ଏକ ପାଖିଆ ଭାବରେ ଚିନ୍ତା କରି ଗସ୍ତକୁ ବାତିଲ କରିବା ନିରାଶାଜନକ । ଏହାକୁ ନେଇ ଆମକୁ ଅବଗତ ମଧ୍ୟ କରାଗଲା ନାହିଁ । ମୁଁ ବୁଝି ପାରୁନି କେଉଁ ଦୁନିଆରେ ରହୁଛି ନ୍ୟୁଜିଲାଣ୍ଡ । ଏନେଇ ଆଇସିସିରେ ଅଭିଯୋଗ କରିବ ନ୍ୟୁଜିଲାଣ୍ଡ ।"