ନୂଆଦିଲ୍ଲୀ: ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦବୀ ନେଇ ଲାଗି ରହିଛି ସସ୍ପେନ୍ସ । ମୁଖ୍ୟ ଚୟନକର୍ତ୍ତାଙ୍କ ପାଇଁ ବାର୍ଷିକ ଅନୁଦାନ ମାତ୍ର ୧ କୋଟି ଟଙ୍କା ରହିଥିବାରୁ ପୂର୍ବତନ ବରିଷ୍ଠ ଖେଳାଳି ଏହି ପଦରୁ ମୁଁହ ଫେରାଉଥିବା କୁହାଯାଉଛି । ନିକଟରେ ପୂର୍ବତନ ଭାରତୀୟ ବ୍ୟାଟର ବିରେନ୍ଦ୍ର ସେହୱାଗ୍ଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା, ହେଲେ ପରବର୍ତ୍ତୀ ସମୟରେ ସେ ନିଜେ ଏହି ପଦ ପାଇଁ ଆଶାୟୀ ନଥିବା ସ୍ପଷ୍ଟ କରିଥିଲେ । ଏବେ ଏହି ରେସ୍ରେ ଆଗରେ ରହିଥିବା ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ଗୁରୁବାର ଆଇପିଏଲ୍ର ଦିଲ୍ଲୀ କ୍ୟାପିଟାଲ୍ସ ସହକାରୀ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି । ଏପଟେ ଅଗରକର ଇସ୍ତଫା ଦେବା ପରେ ବିବିସିଆଇ ମୁଖ୍ୟ ଚୟନକର୍ତ୍ତା ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ବିସିସିଆଇ ମଧ୍ୟ ଏହି ପଦବୀ ପାଇଁ ଧାର୍ଯ୍ୟ ବାର୍ଷିକ ଦରମା ରାଶିକୁ ବୃଦ୍ଧି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ପୂର୍ବରୁ ଏହି ପଦବୀ ପାଇଁ ବାର୍ଷିକ 1 କୋଟି ଥିଲା ।
ତେବେ ଅଗରକରଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ନାମ ଚର୍ଚ୍ଚାକୁ ଆସିବାରୁ ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଓ ଅନ୍ୟ ସଦସ୍ୟଙ୍କୁ ଦିଆଯାଉଥିବା ଅନୁଦାନରେ ବୃଦ୍ଧି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏବେ ମୁଖ୍ୟ ଚୟନକର୍ତ୍ତାଙ୍କୁ ବାର୍ଷିକ ୧ କୋଟି ଟଙ୍କା ଓ ଅନ୍ୟ ସଦସ୍ୟଙ୍କୁ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ତେବେ ଅଜିତ ଅଗରକର ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସହକାରୀ ପ୍ରଶିକ୍ଷକ ଏବଂ ଜଣେ ଭାଷ୍ୟକାର ଭାବେ ବିସିସିଆଇ ବାର୍ଷିକ ଅନୁଦାନଠାରୁ ଢେର୍ ଅଧିକ ରୋଜଗାର କରୁଛନ୍ତି । ଏହା ସହିତ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍ ସେନ୍ ୱାଟସନ୍ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସରେ ଆଉ କାମ କରିବେ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।