ଓଡିଶା

odisha

By

Published : Jun 10, 2023, 7:53 AM IST

ETV Bharat / sports

WTC Final: ବାଦ ପଡିଲେ ଅଶ୍ବିନ, ରୋହିତଙ୍କ ଉପରେ ଅସନ୍ତୋଷ ଝାଡିଲେ ଗାଙ୍ଗୁଲି ଓ ଗାଭାସ୍କର

ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ଦିନରୁ ଭାରତ ଉପରେ ଭାରି ପଡ଼ିଛି । ତେବେ ବିଶ୍ବ ଟେଷ୍ଟ୍‌ରେ ୧ ନମ୍ବର ବୋଲର ଅଶ୍ବିନଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନମିଳିବାକୁ ନେଇ ରୋହିତ ଶର୍ମାଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କ୍ରିକେଟର । ଅଧିକ ପଢ଼ନ୍ତୁ

ରୋହିତ ଶର୍ମାଙ୍କ ଉପରେ ବର୍ଷିଲେ ଗାଙ୍ଗୁଲି ଓ ଗାଭାସ୍କର
ରୋହିତ ଶର୍ମାଙ୍କ ଉପରେ ବର୍ଷିଲେ ଗାଙ୍ଗୁଲି ଓ ଗାଭାସ୍କର

ଲଣ୍ଡନ: ଜାରି ରହିଛି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ । ଏହି ହାଇପ୍ରୋଫାଇଲ ଫାଇନାଲ୍‌ ମ୍ୟାଚ୍‌ର ପ୍ରଥମ ଦିନରୁ ହିଁ ଭାରତୀୟ ଦଳ ଉପରେ ଭାରି ପଡ଼ିଛି କଙ୍ଗାରୁ ଦଳ । ପ୍ରଥମ ପାଳିରେ ଅଷ୍ଟ୍ରେଲିଆର ଦୁଇ ଦୁଇ ଜଣ ବ୍ୟାଟର ଶତକ ହାସଲ କରି ଭାରତର ବୋଲିଂ ବିଭାଗକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛନ୍ତି । ଏହାକୁ ନେଇ ଦେଖା ଦେଇଛି ବିବାଦ । ଆଇସିସି ରାଙ୍କିଂ ଅନୁସାରେ ରବିଚନ୍ଦ୍ରନ ଅଶ୍ବିନ ବିଶ୍ବର ଶ୍ରେଷ୍ଠ ବୋଲରଙ୍କ ତାଲିକାର ଶୀର୍ଷରେ ରହିଥିବା ସତ୍ତ୍ବେ ତାଙ୍କୁ କଣ ପାଇଁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇଛି ବୋଲି ପ୍ରଶ୍ନ ଉଠାଇ ରୋହିତ ଶର୍ମାଙ୍କ ନେତୃତ୍ବକୁ ସମାଲୋଚନା କରିଛନ୍ତି ପୂର୍ବତନ କ୍ରିକେଟର ।

ବର୍ତ୍ତମାନ ଭାରତୀୟ ଦଳରେ ରବୀନ୍ଦ୍ର ଜାଡେଜା ଏକମାତ୍ର ସ୍ପିନର୍ ଭାବେ ଖେଳୁଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪୬୯ ରନ୍‌ର ବଡ଼ ସ୍କୋର୍‌ କରିଥିବାବେଳେ ଜାଡେଜା ମାତ୍ର ଗୋଟିଏ ୱିକେଟ୍ ଦଖଲ କରିବାରେ ସଫଳ ହୋଇଥିଲେ । ଭାରତ ୪ ଜଣ ଦ୍ରୁତ ବୋଲରଙ୍କୁ ନେଇ ଖେଳିବାକୁ ନେଇ ପୂର୍ବତନ କ୍ରିକେଟରମାନେ ସମାଲୋଚନା କରିଛନ୍ତି । ଅଶ୍ବିନ ଏବେ ଆଇସିସି ଟେଷ୍ଟ୍ ମାନ୍ୟତାରେ ଏକ ନମ୍ବର ବୋଲର ଥିବାବେଳେ ୨୦୨୧-୨୩ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଅଗ୍ରଣୀ ବୋଲର ରହିଥିଲେ । ଏହି ୨ ବର୍ଷ ମଧ୍ୟରେ ଅଶ୍ବିନ ୧୩ ଟେଷ୍ଟ ଖେଳି ସର୍ବାଧିକ ୬୧ ୱିକେଟ୍ ହାସଲ କରିବା ସହ ଭାରତକୁ ଫାଇନାଲ୍ ପର୍ଯ୍ୟନ୍ତ ଆଣିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ଏହାସତ୍ତ୍ବେ ଅଶ୍ବିନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ନମିଳିବାକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରଶଂସକମାନେ କଡ଼ା ସମାଲୋଚନା କରିଛନ୍ତି ।

ଭାରତର ଚୂଡ଼ାନ୍ତ ଏକାଦଶରେ ଅଶ୍ବିନଙ୍କ ଅନୁପସ୍ଥିତି ନେଇ ପୂର୍ବତନ କ୍ରିକେଟର ତଥା ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି, "ରବିଚନ୍ଦ୍ରନ ଅଶ୍ବିନଙ୍କ ଭଳି ସ୍ପିନରଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ଦେବା ଆଶ୍ଚର୍ଯ୍ୟର କଥା । ଅଧିନାୟକ ରୋହିତ ଶର୍ମା ଟସ୍‌ ପକାଇବା ପୂର୍ବରୁ ୪ ଜଣ ଦ୍ରୁତ ବୋଲରଙ୍କୁ ନେଇ ଖେଳିବାକୁ ପୂର୍ବରୁ ମନସ୍ଥ କରିସାରିଥିଲେ । ଅବଶ୍ୟ ଗତ କିଛି ବର୍ଷ ହେବ ୪ ଜଣ ଦ୍ରୁତ ବୋଲରଙ୍କୁ ନେଇ ଦଳ ଭଲ ପ୍ରଦର୍ଶନ କରିଛି । ଅଧିନାୟକ ଭାବେ ମୋର ଏବଂ ରୋହିତଙ୍କ ଚିନ୍ତାଧାର ଭିନ୍ନ ହୋଇପାରେ । କିନ୍ତୁ ଅଶ୍ବିନଙ୍କ ଭଳି ସ୍ପିନରଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ଦେବା ଉଚିତ ନଥିଲା ।"

ସେହିଭଳି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ରୋହିତ ଶର୍ମାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, "ରବିଚନ୍ଦ୍ରନ ଅଶ୍ବିନଙ୍କୁ ନଖେଳାଇ ଭାରତୀୟ ଦଳ ଭୁଲ ନିଷ୍ପତ୍ତି ନେଇଛି । ସେ ବିଶ୍ବର ୧ ନମ୍ବର ଟେଷ୍ଟ ବୋଲର । ପିଚ୍‌ କଣ୍ଡିସନ ପାଇଁ ତାଙ୍କୁ ବାଦ୍‌ ଦିଆଯାଇ ପାରିବ ନାହିଁ । ଏଭଳି ନିଷ୍ପତ୍ତି ମୋ ବୁଝିବା ଠାରୁ ମଧ୍ୟ ବାହାରେ । ଚୂଡ଼ାନ୍ତ ଏକାଦଶରେ ଉମେଶ ଯାଦବଙ୍କ ସ୍ଥାନରେ ଅଶ୍ବିନଙ୍କୁ ଖେଳାଇବାର ଥିଲା । କିନ୍ତୁ ପିଚ୍‌ ସ୍ଥିତିକୁ ନେଇ ତାଙ୍କୁ ବାଦ୍‌ ଦେବା ଦଳ ପାଇଁ ଠିକ୍‌ ନିଷ୍ପତ୍ତି ନୁହେଁ ।"

ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍‌ ମଧ୍ୟ ଭାରତୀୟ ମ୍ୟାନେଜ୍‌ମେଣ୍ଟକୁ ନେଇ ପ୍ରଶ୍ନ କରିଛନ୍ତି । ମାଥ୍ୟୁ ‌ହେଡେନ୍‌ କହିଛନ୍ତି, "ଅଶ୍ବିନ ଭାରତୀୟ ଦଳର ଚାବିକାଠି । ଟେଷ୍ଟରେ ସେ ଅଗ୍ରଣୀ ବୋଲର ଏବଂ ବିଶ୍ବରେ ଏକ ନମ୍ବର । ହେଲେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ନନେବା ଭାରତୀୟ ଦଳର ସମ୍ଭାବନାକୁ ପ୍ରଭାବିତ କରିବ ବୋଲି ମୁଁ ଅନୁଭବ କରୁଛି ।" ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଭାରତୀୟ ମ୍ୟାନେଜ୍‌ମେଣ୍ଟର ଏକ ଭୁଲ ବୋଲି ସିଧାସଳଖ କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ । ସେ କହିଛନ୍ତି, "୪ ଜଣ ସିମରଙ୍କୁ ଖେଳାଇବା ଠିକ୍ ଲାଗୁନି । ମ୍ୟାଚ୍‌ ଆଗେଇବା ସହିତ ପିଚ୍‌ରେ ପରିବର୍ତ୍ତନ ଆସିବ ଓ ବଲ ନିଶ୍ଚିତ ଟର୍ଣ୍ଣ କରିବ । ଅଷ୍ଟ୍ରେଲିଆ ଦଳରେ ଏକାଧିକ ବାମହାତୀ ଥିବାରୁ ଅଶ୍ବିନଙ୍କ ଭଳି ଅଫ୍‌ ସ୍ପିନର୍‌ ନିଶ୍ଚିତ ଅସୁବିଧାରେ ପକାଇଥାନ୍ତେ । କାରଣ ଟେଷ୍ଟ୍ କ୍ରିକେଟରେ ବାମହାତୀଙ୍କ ବିପକ୍ଷରେ ଅଶ୍ବିନ ଜଣେ ସଫଳ ବୋଲର ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details