ନୂଆଦିଲ୍ଲୀ:ବିରାଟ କୋହଲି ଭାରତର ସବୁଠୁ ସଫଳତମ ଟେଷ୍ଟ କ୍ୟାପଟେନ ହୋଇଥିଲେ ମଧ୍ୟ ଏଯାବତ ଇଂଲିସ ମାଟିରେ ସଫଳତାର ସ୍ବାଦ ଚାଖିପାରିନାହାନ୍ତି । ତେବେ ୨୦୨୧ ହୁଏତ ବିରାଟଙ୍କ ପାଇଁ ଏହି ବର୍ଷ ହୋଇପାରେ, କାରଣ ବୁଧବାର ଠାରୁ ଜୋ ରୁଟ୍ଙ୍କ ଟିମ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଭାରତ । ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବା । ଏହି ସିରଜରୁ ଦ୍ବିତୀୟ ବିଶ୍ବ ଟେଷ୍ଟ ଚମ୍ପିଆନସିପ (WTC) ସର୍କଲରର ଆରମ୍ଭ ହେବ । ବୁଧବାର ପ୍ରଥମ ଟେଷ୍ଟ ଆରମ୍ଭ ପୂର୍ବରୁ ବିରାଟ କୋହଲିଙ୍କ ଭାରତୀୟ ଟିମ ସାମ୍ନାରେ ଏକାଧିକ ଆହ୍ବାନ ରହିଛି ।
ଶୁଭମନ ଗିଲ୍ ଆହତ ହୋଇ ସିରିଜରୁ ବାଦ ପଡିବା ପରେ ଟିମର ଓପନିଂ ଯୋଡିକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉଁନି । ସୋମବାର ମୟଙ୍କ ଅଗ୍ରୱାଲ ମଧ୍ୟ ଆହତ ହେବାସର ପ୍ରଥମ ଟେଷ୍ଟରୁ ବାଦ ପଡିଛନ୍ତି । ଫଳରେ କିଏ ରୋହିତ ଶର୍ମାଙ୍କ ଓପନିଂ ପାର୍ଟନର ହେବେ ଏଯାବତ ସ୍ପଷ୍ଟ ହୋଇନାହିଁ । ଏହି ରେସ୍ରେ ସବୁଠୁ ଆଗରେ ରହିଛନ୍ତି କେଏଲ ରାହୁଲ । ଅନେକ କ୍ରିକେଟ ସମୀକ୍ଷକ ମଧ୍ୟ ରାହୁଲଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି, ମାତ୍ର ଏହା ସେତିକି ସହଜ ନୁହେଁ ଯେତିକି ଜଣାପଡୁଛି । ପୂର୍ବରୁ ଟିମ ମ୍ୟାନେଜମେଣ୍ଟ ରାହୁଲଙ୍କୁ ମଧ୍ୟକ୍ରମରେ ଖେଳାଇବାକୁ ଚିନ୍ତା କରୁଥିବା ସ୍ପଷ୍ଟ କରିଥିଲା । ଯଦି ରାହୁଲ ଓପନ ନ କରନ୍ତି, ତେବେ ହନୁମା ବିହାରି, ଅଭିମନ୍ୟୁ ଇସରନ ଓ ଚେତେଶ୍ବର ପୂଜାରାଙ୍କ ରୂପରେ ଭାରତ ପାଖରେ ତିନୋଟି ଅନ୍ୟ ବିକଳ୍ପ ରହିଛି ।
ତେବେ ରାହୁଲ ଏହି ସ୍ଥାନରେ ଅଧିକ ଫିଟ୍ ଲାଗୁଛନ୍ତି । ଇସରନ ୨୦୨୦ରେ ଶେଷ ଘରୋଇ ୪ ଦିନିକିଆ ମ୍ୟାଚ ଖେଳିଥିଲେ, ପୂଜାରା ଫର୍ମରେ ନାହାନ୍ତି ଓ WTC ଫାଇନାଲରେ ବିହାରି ଖେଳିନଥିଲେ । ଏପରି ସ୍ଥିତିରେ ତାଙ୍କୁ ଏହି ଖେଳାଳିଙ୍କୁ ଓପନର ବନାଇବା ନିଷ୍ପତି ମହଙ୍ଗା ସାବ୍ୟସ୍ତ ହେବାର ସମ୍ଭାବନା ରହିଛି । କ୍ୟାପଟେନ ବିରାଟ କୋହଲିଙ୍କ ଉପରେ ମଧ୍ୟ ଏହି ସିରିଜରେ ନଜର ରହିବ । କାରଣ ନଭେମ୍ବର ୨୦୧୯ ଠାରୁ କୌଣସି ଶତକୀୟ ଇଂନିସ ଖେଳିନାହାନ୍ତି କୋହଲି । ଫର୍ମକୁ ଫେରିବାକୁ କୋହଲିଙ୍କ ପାଖେ ଭରପୁର ସୁଯୋଗ ରହିଛି ।
ଇଶାନ୍ତ ଶର୍ମା, ମହମ୍ମଦ ସାମି ଓ ଜଶପ୍ରୀତ ବୁମରାଙ୍କୁ ନେଇ ଟିମ ଖେଳୁଛି ନା ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଟିମ ମ୍ୟାନେଜମେଣ୍ଟ ଖେଳାଇବାର ନିଷ୍ପତ୍ତି କରୁଛି ତାହା ଦେଖିବାର କଥା । ପୁଣି ରବିଚନ୍ଦ୍ରନ ଅଶ୍ବିନ ଓ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିବା ନା ଉଭୟ ଚୁଡାନ୍ତ ଏକାଦଶରେ ସ୍ଥାନ ପାଇବେ ଦେଖିବାର କଥା । ଅନ୍ୟପଟେ ଜୋଫ୍ରା ଆର୍ଚର ଓ ବେନ ଷ୍ଟୋକ୍ସଙ୍କ ବିନା ଖେଳିବା ଘରୋଇ ଇଂଲଣ୍ଡ । ଏକାଧିକ ଇଂଲିସ ଷ୍ଟାର ଖେଳାଳି ଏହି ସିରିଜରେ ଅନୁପସ୍ଥିତ ଥିବାରୁ ବିରାଟବାହିନୀ ପାଖରେ ସିରିଜ ବିଜୟର ସୁବର୍ଣ୍ଣ ସୁଯୋଗ ରହିଛି ।