ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ (Commonwealth Games2022) ଦମଦାର ପ୍ରଦର୍ଶନ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଗୋଟିଏ ପରେ ଗୋଟିଏ ବିଜୟ ହାସଲ କରିଛି ଓମେନ ଇନ ବ୍ଲୁ । ରାଜ୍ୟଗୋଷ୍ଠୀ କ୍ରୀଡ଼ାର କ୍ରିକେଟ ଇଭେଣ୍ଟର ଗ୍ରୁପ୍ ମ୍ୟାଚ୍ରେ ବୁଧବାର ଅନୁଷ୍ଠିତ ବାରବାଡସ୍ ବିପକ୍ଷରେ ବୃହତ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। 100ରନରେ ବାରବାଡସକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ଦଳ ।
ପ୍ରଥମେ ଟସ ଜିତି ବୋଲିଂ କରିବାରୁ ନିଷ୍ପତ୍ତି ନେଇଥିଲା ବାରବାଡସ୍ ମହିଳା ଦଳ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଟିମ ପାଳି ଆରମ୍ଭ କରିଥିଲେ । ସ୍ମୃତି ମନ୍ଧାନା 5 ରନ କରି ଶାନିକା ବ୍ରୁସ ବଲରେ ଆଉଟ ହୋଇଥିଲେ । ଜେମିମା ରୋଡ୍ରିଗ୍ବେଜ ଓ ସେଫାଳି ବର୍ମା ବ୍ୟାଟିଂ ଜାରି ରଖିଥିଲେ । ଦଳୀୟ ସ୍କୋର 76ରେ ଭାରତର ଆଉ ଏକ ୱିକେଟ ପତନ ହୋଇଥିଲା । ସେଫାଳି ବର୍ମା 26 ବଲରେ ବ୍ୟକ୍ତିଗତ 43 ରନ କରି ରନଆଉଟ ହୋଇଥିଲେ । ଜେମିମା ଓ ସେଫାଳିଙ୍କ ମଧ୍ୟରେ ଏକ ଭଲ ସହଭାଗିଦାରୀ ହୋଇଥିଲା । ପରେ ପରେ ଅଧିନାୟିକା ହରମନପ୍ରୀତ କୌର ଖାତା ଖୋଲି ପାରିନଥିଲେ । ଦଳର 77ରନ ବେଳକୁ 3ଟି ୱିକେଟ ପତନ ହୋଇସାରିଥିଲା । ଜେମିମା ରୋଡ୍ରିଗ୍ବେଜ ସ୍ଥିତି ସମ୍ଭାଳି ଖେଳିଥିଲେ। ତାଙ୍କୁ ସାଥ ଦେଉଥିଲା ତାନିୟା ଭାଟ୍ଟିଆ 6 ରନ କରି ଆଉଟ ଆଉଟ ହୋଇଥିଲେ । ଏହା ପରେ ଜେମିମା ରୋଡ୍ରିଗ୍ବେଜ ଓ ଦିପ୍ତୀ ଶର୍ମା ରନ ଗାଡିକୁ ଆଗକୁ ନେଇଥିଲେ । ଜେମିମା 46 ବଲରେ ସର୍ବାଧିକ ଅପରାଜିତ ଅର୍ଦ୍ଧଶତକ (56) ହାସଲ କରିଥିଲେ । 20 ଓଭରରେ 4 ୱିକେଟ ହରାଇ ଭାରତ 162 ରନ କରିଥିଲା । ବାରବାଡସ୍କୁ 163 ରନ ଟାର୍ଗେଟ ଦେଇଥିଲା ଭାରତ ।