ମୁମ୍ବାଇ:ଆଇସିସି କ୍ରିକେଟ ମହାକୁମ୍ବ ବିଶ୍ବକପ 2023 ଜାରି ରହିଛି । ଆଜି 23ତମ ଲିଗ ମ୍ୟାଚ ଖେଳାଯିବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ଦକ୍ଷିଣ ଆଫ୍ରିକା ଭଲ ଫର୍ମରେ ରହିଛି । ଭାରତଠୁ ପରାସ୍ତ ହେବା ପରେ ବାଂଲାଦେଶ ଆଜି ବିଧ୍ବଂସୀ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି । ସେହିପର ପଏଣ୍ଟ୍ ଟେବୁଲ ତୃତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଆଜି ଚତୁର୍ଥ ବିଜୟ ଲକ୍ଷ୍ୟରେ ରହିଛି ।
ଗତ 21 ତାରିଖରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ବିପକ୍ଷରେ ଦମଦାର ବିଜୟ ହାସଲ କରି ପଏଣ୍ଟ୍ ଟେବୁଲର ତୃତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା । ନେଦରଲାଣ୍ଡ ବିପକ୍ଷରେ ଦଳ ପରାଜିତ ହୋଇଥିଲା । ଏହାକୁ ଏକ ଦଳର ଏକ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଥିଲା । ଆଜି ଦଳର ତାର ପଞ୍ଚମ ମୁକାବିଲା ଜିତିବାକୁ ଲକ୍ଷ୍ୟ ରଖିଛି । ଦଳରେ କ୍ବିଣ୍ଟନ ଡି' କକ୍ ଫୁଲ ଫର୍ମରେ ଅଛନ୍ତି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ କ୍ଲାସେନ୍ ଧୂଆଁଧାର ପାଳି ଖେଳିଥିଲେ । 67 ବଲରେ 109 ରନ୍ କରିଥିଲେ । ଆଜି ତାଙ୍କଠୁ ସମାନ ପ୍ରଦର୍ଶନ ଆଶା କରାଯାଉଛି । ସେହିପରି ବୋଲିଂରେ ଦକ୍ଷିଣ ଆଫ୍ରିକାର ଗେରାଲ୍ଡ କୋଏଜି, ଲୁଙ୍ଗୁ ଏନ୍ଗିଡି ଓ ଜାନସେନ୍ 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଆଜି ସେମାନେ ମଧ୍ୟ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ ।
ସେପଟେ ବାଂଲାଦେଶ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ଦଳ ଏଯାବତ 4ଟି ମ୍ୟାଚ୍ ଖେଳି ମାତ୍ର ଗୋଟିରେ ବିଜୟ ହାସଲ କରିଛି । ବାଂଲାଦେଶ କେବଳ ଆଫଗାନିସ୍ତାନ ବିପକ୍ଷରେ ବିଜୟ ହାସଲ କରିିଛି । ଶେଷ ମ୍ୟାଚ୍ରେ ଭାରତଠୁ ପରାସ୍ତ ହୋଇଥିଲା । ଆଜି ବିଧ୍ବଂସୀ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି ହାସନ ସେନା । ପୂର୍ବ ରେକର୍ଡ ଅନୁସାରେ ଦୁଇ ଦଳ ମଧ୍ୟରେ 24ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଦକ୍ଷିଣ ଆଫ୍ରିକା 18ଟି ଜିତିଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ଏକଦିବସୀୟ 3 ମ୍ୟାଚ ବିଶିଷ୍ଟ ସିରିଜରେ ବାଂଲାଦେଶ ଜିତିଥିଲା । ଆଜି ଦକ୍ଷିଣ ଆଫ୍ରିକାକୁ ହରାଇବାକୁ ହେଲେ ଦଳକୁ ସବୁ ତ୍ରୁଟି ସୁଧାରି ଖେଳିବାକୁ ହେବ ।