ଓଡିଶା

odisha

By ETV Bharat Odisha Team

Published : Oct 24, 2023, 4:40 PM IST

ETV Bharat / sports

Cricket World Cup 2023: ଦିନିକିଆ ବିଶ୍ବକପ୍‌ରେ ପାକିସ୍ତାନର ବିପର୍ଯ୍ୟୟ ଜାରି, ଜାଣନ୍ତୁ ଇତିହାସ

ବିଶ୍ବକପ୍‌ ୨୦୨୩ରେ ଆଫଗାନିସ୍ତାନ ଆଣିଥିବା ବିପର୍ଯ୍ୟୟ ପାକିସ୍ତାନ ପାଇଁ ପ୍ରଥମ ନୁହେଁ । ଜାଣନ୍ତୁ ଦିନିକିଆ ବିଶ୍ବକପ୍‌ ଇତିହାସରେ ପାକିସ୍ତାନ ବିପର୍ଯ୍ୟୟର କାହାଣୀ । ଅଧିକ ପଢ଼ନ୍ତୁ

ଦିନିକିଆ ବିଶ୍ବକପ୍‌ରେ ପାକିସ୍ତାନର ବିପର୍ଯ୍ୟୟ କାହାଣୀ ଜାରି
ଦିନିକିଆ ବିଶ୍ବକପ୍‌ରେ ପାକିସ୍ତାନର ବିପର୍ଯ୍ୟୟ କାହାଣୀ ଜାରି

ହାଇଦ୍ରାବାଦ: ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ସୋମବାର ତୃତୀୟ ବିପର୍ଯ୍ୟୟ ଦେଖିବାକୁ ମିଳିଛି । 1992 ବିଶ୍ବକପ୍‌ ବିଜୟୀ ପାକିସ୍ତାନକୁ ୮ ୱିକେଟ୍‌ରେ ପରାସ୍ତ କରିଛି ଆଫଗାନିସ୍ତାନ । ଏହାପୂର୍ବରୁ ଇଂଲଣ୍ଡକୁ ହରାଇ ବିଶ୍ବକପ୍‌ ୨୦୨୩ରେ ପ୍ରଥମ ବିପର୍ଯ୍ୟୟ ଆଣିଥିଲା ଆଫଗାନିସ୍ତାନ । ଏହାପରେ ଇନ୍‌-ଫର୍ମ ଦକ୍ଷିଣ ଆଫ୍ରିକାକୁ ହରାଇ ନେଦରଲ୍ୟାଣ୍ଡ ଦ୍ବିତୀୟ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ତେବେ ପାକିସ୍ତାନ ପାଇଁ ବିଶ୍ବକପ୍‌ ଇତିହାସରେ ଏହି ବିପର୍ଯ୍ୟୟ ନୂଆ ନୁହେଁ । ନଜର ପକାନ୍ତୁ ଆଇସିସି ଦିନିକିଆ ବିଶ୍ବକପ୍‌ ଇତିହାସରେ ପାକିସ୍ତାନ ବିପର୍ଯ୍ୟୟର କାହାଣୀ ଉପରେ ।

ବିଶ୍ବକପ୍‌ ୧୯୯୯: ଇଂଲଣ୍ଡରେ ଆୟୋଜିତ ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନକୁ ୬୨ ରନରେ ମାତ୍‌ ଦେଇ ବିପର୍ଯ୍ୟୟ ସୃଷ୍ଟି କରିଥିଲା ବାଂଲାଦେଶ । ମେ' ମାସ ୩୧ ତାରିଖରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୨୩ ରନ ସଂଗ୍ରହ କରିଥିଲା ବାଂଲାଦେଶ । ହେଲେ ଦଳର ବୋଲିଂ ବିଭାଗର ଘାତକ ଆକ୍ରମଣରେ ପାକିସ୍ତାନର ହେଭିୱେଟ୍‌ ସହୀଦ ଅନୱର, ଶାହିଦ ଆଫ୍ରିଦି ଓ ଇଞ୍ଜାମ-ଉଲ୍‌-ହକ୍‌ଙ୍କ ଭଳି ଖେଳାଳି ମଧ୍ୟ ଚିତ୍‌ପଟାଙ୍ଗ ମାରିଥିଲେ । ବାଂଲାଦେଶର ଷ୍ଟାର ବୋଲର ଖଲିଦ୍‌ ମହମ୍ମଦ କେବଳ ୩୭ ରନ ବ୍ୟୟରେ ୩ ୱିକେଟ୍‌ ସଫଳତା ହାସଲ କରିଥିଲେ । ୨୨୪ ରନ ଲକ୍ଷ୍ୟରେ ବ୍ୟାଟିଂ କରି କେବଳ ୧୬୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା ପାକିସ୍ତାନ । ଫଳରେ ଏହି ମ୍ୟାଚ୍‌କୁ ୬୨ ରନରେ ଜିତି ନେଇଥିଲା ବାଂଲାଦେଶ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ପାକିସ୍ତାନର ବିପର୍ଯ୍ୟୟ ଜାରି, ୮ ୱିକେଟ୍‌ରେ ଆଫଗାନିସ୍ତାନର ଐତିହାସିକ ବିଜୟ

ବିଶ୍ବକପ୍‌ ୨୦୦୭: ୱେଷ୍ଟଇଣ୍ଡିଜ୍‌ରେ ଆୟୋଜିତ ବିଶ୍ବକପ୍‌ ୨୦୦୭ରେ ପାକିସ୍ତାନ ପାଇଁ ବିପର୍ଯ୍ୟୟ ନେଇ ଆସିଥିଲା ଆୟରଲ୍ୟାଣ୍ଡ । ମାର୍ଚ୍ଚ ୭ ୨୦୦୭ରେ କିଙ୍ଗ୍‌ଷ୍ଟନ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କେବଳ ୧୩୨ ରନ କରିବାରେ ସକ୍ଷମ ହୋଇଥିଲା ଇଞ୍ଜାମ୍‌-ଉଲ୍‌-ହକ୍‌ଙ୍କ ନେତୃତ୍ବାଧୀନ ପାକିସ୍ତାନ । ଏହି ମ୍ୟାଚ୍‌ରେ ଆୟରଲ୍ୟାଣ୍ଡର ବଏଡ୍‌ ରାଙ୍କିନ୍‌ ୩ ୱିକେଟ୍‌ ସଫଳତା ହାସଲ କରିଥିଲେ । ଏହାପରେ କେବଳ ୧୩୩ ରନ୍‌ ଟାର୍ଗେଟ ନେଇ ବ୍ୟାଟିଂ କରୁଥିବା ଆୟରଲ୍ୟାଣ୍ଡର ନିଆଲ୍‌ ଓବ୍ରାଏନ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ୭୨ ରନର ପାଳି ଦଳକୁ ବିଜୟୀ କରାଇଥିଲା । ଡିଏଲ୍‌ ମେଥଡ୍‌ରେ ୩୨ ବଲ ବାକି ଥାଇ ୩ ୱିକେଟ୍‌ରେ ଏହି ମ୍ୟାଚ୍‌ ଜିତି ନେଇଥିଲା ଆୟରଲ୍ୟାଣ୍ଡ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ପାକିସ୍ତାନ ଟିମ୍‌ରେ ଅନ୍ତଃକନ୍ଦଳ ! ରିପୋର୍ଟକୁ ଖଣ୍ଡନ କଲା PCB

ବିଶ୍ବକପ୍‌ ୨୦୨୩: ଏବେ ବିଶ୍ବକପ୍‌ ୨୦୨୩ ବିପର୍ଯ୍ୟୟକୁ ଆସିବା । ସୋମବାର ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୨୮୨ ରନ ସ୍କୋର କରିଥିଲା ପାକିସ୍ତାନ । ହେଲେ ଦଳର ବିଶ୍ବସ୍ତରୀୟ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ ଆଫଗାନୀ ବ୍ୟାଟର । ଫଳରେ ଗୋଟିଏ ଓଭର ବାକି ଥାଇ ୮ ୱିକେଟ୍‌ରେ ଏହି ମ୍ୟାଚ୍‌ ଜିତି ନେଇଛି ଆଫଗାନିସ୍ତାନ । ତେବେ ଏହା ପାକିସ୍ତାନ ପାଇଁ ଚଳିତ ବିଶ୍ବକପ୍‌ରେ କ୍ରମାଗତ ୩ୟ ପରାଜୟ । ଯାହା ଫଳରେ ପାକିସ୍ତାନ ପାଇଁ ସେମିଫାଇନାଲ୍‌ ରାସ୍ତା କଠିନ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details