ଅହମ୍ମଦାବାଦ: ଗୁଜରାଟ ଅହମ୍ମଦାବାଦର ଉପକଣ୍ଠରେ ଥିବା ମୋଟେରା (ନରେନ୍ଦ୍ର ମୋଦି ଷ୍ଟାଡିୟମ) ବିଶ୍ବର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍, ଯେଉଁଠାରେ 1 ଲକ୍ଷ ୩୨ ହଜାର ଦର୍ଶକଙ୍କ ବସିବାର ସୁବିଧା ରହିଛି । କିଛିଘଣ୍ଟା ପରେ ଏହି ଠାରୁ ବାଜିବ ଦିନିକିଆ କ୍ରିକେଟ୍ର ମହାକୁମ୍ଭ ବିଶ୍ବକପ୍ ୨୦୨୩ ବିଗୁଲ । ତେବେ ଆସନ୍ତା ୧୪ ତାରିଖରେ ଏହିଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍ ଖେଳାଯିବ, ସେତେବେଳେ ସମଗ୍ର ବିଶ୍ବର ନଜର ଏହି ଐତିହାସିକ ଷ୍ଟାଡିୟମ ଉପରେ ରହିବ ।
ଯଦିଓ ଏହି ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀଙ୍କ ମ୍ୟାଚ୍ ସମୟରେ ଉଭୟ ଦେଶର ଖେଳାଳିଙ୍କ ଉପରେ ଚାପ ଅଧିକ ଥାଏ, ଏଥର କିନ୍ତୁ ଚାପ ଟିକିଏ ଅଧିକ ରହିବ । ଭାରତ ଘରୋଇ ସମର୍ଥକଙ୍କ ଆଗରେ ପାକିସ୍ତାନ ଠାରୁ ହାରିଯିବା ଭୟରେ ଖେଳିବାକୁ ଯାଉଥିବାବେଳେ ଦୀର୍ଘଦିନ ପରେ ଭାରତରେ ଏତେ ବଡ଼ ଷ୍ଟାଡିୟମରେ ଖେଳିବାକୁ ଯାଉଥିବା ପାକିସ୍ତାନ ଅଧିକ ଚାପରେ ରହିବ । କାରଣ ଷ୍ଟାଡିୟମରେ ଥିବା ୧ ଲକ୍ଷ ୩୨ ହଜାର ଦର୍ଶକଙ୍କ ମଧ୍ୟରୁ ଅଧିକାଂଶ ଭାରତକୁ ସମର୍ଥନ କରୁଥିବେ । ଏହାବାଦ ଏହି ହାଇପ୍ରୋଫାଇଲ ମ୍ୟାଚ୍ରେ ସେଠାକାର ପୋଲିସ ପାଇଁ ସୁରକ୍ଷା ଦାୟିତ୍ବ ଏକ କଠିନ ଟାସ୍କ ହୋଇପଡ଼ିଛି । ଗୋଟିଏ ସୀମାରେଖାରେ ୧ ଲକ୍ଷ ୩୨ ହଜାର ଦର୍ଶକଙ୍କୁ ଆୟତ୍ତ କରିବା ଏତେ ସହଜ ହେବନାହିଁ ।
ପୂର୍ବରୁ ଏହି ଷ୍ଟାଡିୟମ ଖେଳ ଜଗତର ଏକ କୋଣରେ ପଡ଼ି ରହିଥିଲା । ସେତେବେଳେ ମଧ୍ୟ ଏହି ଷ୍ଟାଡିୟମରେ କିଛି ଐତିହାସିକ ମ୍ୟାଚ୍ ଖେଳାଯାଇଥିଲା । ୧୯୮୭ ମାର୍ଚ୍ଚ ୭ ତାରିଖରେ ଏଠାରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ଭାରତୀୟ କିମ୍ବଦନ୍ତୀ ବ୍ୟାଟର ନିଜ ଟେଷ୍ଟ କ୍ୟାରିୟରର ୧୦ ହଜାର ରନ ପୂରଣ କରିଥିଲେ । ଏହା ଏପରି ଏକ କୀର୍ତ୍ତିମାନ ଥିଲା, ଯାହାକୁ ମହାନ କ୍ରିକେଟର ଡନ ବ୍ରଡ୍ମ୍ୟାନ୍ ମଧ୍ୟ ଭାଙ୍ଗି ପାରିନଥିଲେ । ସେହିଦିନଠାରୁ ଏହି ଷ୍ଟାଡିୟମ ଏକ ନୂଆ ପରିଚୟ ପାଇଥିଲା । ସମସ୍ତେ ଏହାକୁ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍ ଭାବେ ଜାଣିଲେ । ସବୁଠାରୁ ବଡ଼କଥା ହେଉଛି ଗାଭାସ୍କର ଏଠାରେ ଏହି ଐତିହାସିକ ପାଳି ପାକିସ୍ତାନ ବିପକ୍ଷରେ ଖେଳିଥିଲେ ।