ଓଡିଶା

odisha

ETV Bharat / sports

Cricket World Cup 2023: ଜାଡେଜାଙ୍କୁ ୫ ୱିକେଟ୍‌, ଦକ୍ଷିଣ ଆଫ୍ରିକାର ଆତ୍ମସମର୍ପଣ - ରବିନ୍ଦ୍ର ଜାଡେଜା

୩୨୭ ରନ୍‌ର ପିଛା କରିବାକୁ ଯାଇ ୮୩ ରନରେ ସମସ୍ତ ୱିକେଟ୍‌ ହରାଇଲା ଦକ୍ଷିଣ ଆଫ୍ରିକା । ଘାତକ ବୋଲିଂ ସହ ଜାଡେଜାଙ୍କୁ ୫ ୱିକେଟ୍‌ ସଫଳତା । ଧିମା ପିଚ୍‌ରେ ଧୈର୍ଯ୍ୟପୂର୍ଣ୍ଣ ଶତକୀୟ ପାଳି ପାଇଁ ବିରାଟ କୋହଲି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ । ଅଧିକ ପଢ଼ନ୍ତୁ

୮୩ ରନ୍‌ରେ ଦକ୍ଷିଣ ଆଫ୍ରିକା ଅଲ୍‌ଆଉଟ୍‌
୨୪୩ ରନରେ ଜିତିଲା ଭାରତ

By ETV Bharat Odisha Team

Published : Nov 5, 2023, 8:46 PM IST

Updated : Nov 5, 2023, 9:02 PM IST

କୋଲକାତା: ବିରାଟ କୋହଲିଙ୍କ ବିରାଟ ରେକର୍ଡ ପରେ ଜାଡେଜାଙ୍କ ଘାତକ ଆକ୍ରମଣ । ଇଡେନ ଗାର୍ଡେନ୍ସରେ ଧରାଶାୟୀ ହେଲା ଦକ୍ଷିଣ ଆଫ୍ରିକା । ବିଶ୍ବକପ୍‌ ୨୦୨୩ରେ ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ବଳରେ ଭାରତ ୩୨୬ ରନ୍‌ କରିଥିଲା । ଜବାବରେ ଭାରତୀୟ ବୋଲିଂ ବିଭାଗର ଶାଣିତ ଆକ୍ରମଣରେ ଆତ୍ମସମର୍ପଣ କରିଛି ଦକ୍ଷିଣ ଆଫ୍ରିକା । ରବୀନ୍ଦ୍ର ଜାଡେଜାଙ୍କ ୫ ୱିକେଟ୍‌ ସଫଳତା ସହ ଦକ୍ଷିଣ ଆଫ୍ରିକାକୁ ୮୩ ରନରେ ଅଲ୍‌ଆଉଟ୍‌ କରିବାରେ ସଫଳ ହୋଇଛି ଭାରତ । ଫଳରେ ୨୪୩ ରନରେ ବୃହତ ବିଜୟ ସହ ୮ ମ୍ୟାଚ୍‌ରୁ ରେକର୍ଡ ୮ ବିଜୟ ହାସଲ କରିଛି ଭାରତ । ଧିମା ପିଚ୍‌ରେ ଧୈର୍ଯ୍ୟପୂର୍ଣ୍ଣ ଶତକୀୟ ପାଳି ପାଇଁ ବିରାଟ କୋହଲି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଭାରତ ବ୍ୟାଟିଂ: ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଆରମ୍ଭରୁ ବିସ୍ଫୋରକ ଆରମ୍ଭ ମଧ୍ୟ କରିଥିଲେ ଦୁଇ ଓପନର । ରୋହିତ କେବଳ ୨୪ ବଲରୁ ୬ ଚୌକା ଓ ୨ ଛକା ବଳରେ ୪୦ ରନ୍‌ର ଧୂଆଁଧାର ପାଳି ଖେଳି ଆଉଟ୍‌ ହୋଇଥିଲେ । ଅନ୍ୟପଟେ ଯୁବ ଓପନର ଶୁଭମନ ଗିଲ୍‌ ୨୩ ରନ କରି ଆଉଟ୍‌ ହୋଇଯାଇଥିଲେ । ଏହାପରେ ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଗଢ଼ି ଉଠିଥିଲା । ଆୟର ୮୭ ବଲରୁ ୭ ଚୌକା ଓ ୨ ଛକା ବଳରେ ୭୭ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ କେଏଲ୍‌ ରାହୁଲ କେବଳ ୮ ରନ କରି ଆଉଟ୍‌ ହୋଇଥିବାବେଳେ ୧୪ ବଲରୁ ୨୨ ରନ କରି ଆଉଟ୍‌ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ । ଏହାପରେ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ପାଳିକୁ ଆଗକୁ ବଢ଼ାଇଥିଲେ ବିରାଟ କୋହଲି । ଏହି ମ୍ୟାଚ୍‌ରେ ୧୨୧ ବଲରୁ ୧୦ ଚୌକା ବଳରେ ୧୦୧ ରନ କରିଥିବା କୋହଲିଙ୍କର ଏହା ହେଉଛି ୪୯ତମ ଦିନିକିଆ ଶତକ । ଏହି ଶତକ ସହ ସେ ସଚିନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ୭୯ତମ ଶତକ । ସେପଟେ ଜାଡେଜା ମାତ୍ର ୧୫ ବଲରୁ ୩ ଚୌକା ଓ ଗୋଟିଏ ଛକା ବଳରେ ୨୯ ରନର ପାଳି ଖେଳି ଦଳୀୟ ସ୍କୋରକୁ ୩୨୬ରେ ପହଞ୍ଚାଇଥିଲେ ।

ଦକ୍ଷିଣ ଆଫ୍ରିକା ବୋଲିଂ: ଦକ୍ଷିଣ ଆଫ୍ରିକା ପକ୍ଷରୁ ସମସ୍ତ ପ୍ରମୁଖ ବୋଲର ଯଥା, ଲୁଙ୍ଗି ଏନ୍‌ଗିଡି, ମାର୍କୋ ଜାନ୍‌ସେନ୍‌, କାଗିସୋ ରାବାଡା, କେଶବ ମହାରାଜ ଓ ତବ୍ରାଇଜ ସାମ୍‌ସି ଗୋଟିଏ ଲେଖାଏଁ ସଫଳତା ହାସଲ କରିଥିଲେ । ୮.୨ ଓଭର ବୋଲିଂ କରି ୬୩ ରନ ବ୍ୟୟ କରିଥିବା ଏନ୍‌ଗିଡି ଆହତ ହୋଇ ଅଧାରୁ ମୈଦାନ ବାହାରକୁ ଚାଲିଯିବାରୁ ଜାନ୍‌ସେନ୍‌ ବଳକା ଓଭର ସମ୍ପୂର୍ଣ୍ଣ କରିଥିଲେ । ତେବେ ସେ ୯.୪ ଓଭର ବୋଲିଂ କରି ୯୪ ରନ ବ୍ୟୟ କରିବା ସହ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଜାନ୍‌ସେନ୍‌ ଆଜିର ମ୍ୟାଚ୍‌ରେ ୧୧ ଅତିରିକ୍ତ ରନ୍‌ ସହ ଚଳିତ ବିଶ୍ବକପ୍‌ରେ ସର୍ବାଧିକ ଅତିରିକ୍ତ ରନ୍‌ ବ୍ୟୟକାରୀ ବୋଲର ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବର୍ଥ ଡେ'ରେ କିଙ୍ଗ୍‌ କୋହଲିଙ୍କ ସ୍ପେଶାଲ ଶତକ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ୍‌ ୩୨୭

ଦକ୍ଷିଣ ଆଫ୍ରିକା ବ୍ୟାଟିଂ: ୩୨୭ ରନ୍‌ର ଟାର୍ଗେଟ୍‌କୁ ନେଇ ମୈଦାନକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକାକୁ ଦ୍ବିତୀୟ ଓଭରରେ ପ୍ରଥମ ଝଟ୍‌କା ଦେଇଥିଲେ ଭାରତୀୟ ଷ୍ଟାର ପେସର ମହମ୍ମଦ ସିରାଜ । ସେ ଇନ୍‌-ଫର୍ମ ବ୍ୟାଟର କ୍ବିଣ୍ଟନ ଡିକକ୍‌ଙ୍କୁ କ୍ଲିନ୍‌ ବୋଲ୍ଡ କରି ପାଭିଲିୟନ ଫେରାଇଥିଲେ । ଦଳର କୌଣସି ବ୍ୟାଟର ୧୫ ରନ ମଧ୍ୟ କରିବାରେ ସକ୍ଷମ ହୋଇନଥିଲେ । ଦଳ ପାଇଁ ମାର୍କୋ ଜାନ୍‌ସେନ୍‌ ସର୍ବାଧିକ ୧୪ ରନ କରିଥିବାବେଳେ ରସି ଭାନ୍‌ଡେର୍‌ ଡସେନ୍‌ ୧୩ ରନ କରିଥିଲେ । ଅଧିନାୟକ ବାଭୁମା ଓ ଡେଭିଡ୍‌ ମିଲରଙ୍କ ୧୧ ରନ ଲେଖାଏଁ ପାଳିକୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାରେ ମଧ୍ୟ ସକ୍ଷମ ହୋଇନଥିଲେ । ଫଳରେ କେବଳ ୮୩ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି ଦକ୍ଷିଣ ଆଫ୍ରିକା ।

ଭାରତ ବୋଲିଂ: ଭାରତୀୟ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଘାତକ ଆକ୍ରମଣରେ ଧରାଶାୟୀ ହୋଇଥିଲା ଦକ୍ଷିଣ ଆଫ୍ରିକା । ପାଳିର ଦ୍ବିତୀୟ ଓଭରରେ ଡିକକ୍‌ଙ୍କ ଭଳି ଇନ୍‌-ଫର୍ମ ବ୍ୟାଟରଙ୍କୁ ଆଉଟ୍‌ କରି ଦକ୍ଷିଣ ଆଫ୍ରିକାକୁ ଚାପରେ ପକାଇଥିଲେ ଭାରତୀୟ ଷ୍ଟାର ପେସର ମହମ୍ମଦ ସିରାଜ । ମହମ୍ମଦ ଶାମି ଓ କୁଲଦୀପ ଯାଦବ ୨ଟି ଲେଖାଏଁ ସଫଳତା ହାସଲ କରିଥିଲେ । ସେପଟେ ରବୀନ୍ଦ୍ର ଜାଡେଜା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କ ପାଇଁ କାଳ ସାଜିଥିଲେ । ସେ ଏକାକୀ ୫ ୱିକେଟ୍‌ ସଫଳତା ହାସଲ କରିନେଇଥିଲେ । ଫଳରେ ଭାରତ ୨୪୩ ରନରେ ଏହି ବଡ଼ ବିଜୟ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 5, 2023, 9:02 PM IST

ABOUT THE AUTHOR

...view details