ଓଡିଶା

odisha

ETV Bharat / sports

World Cup 2023: ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ ସେମି ଟକ୍କର, 2019 ପ୍ରତିଶୋଧ ଲକ୍ଷ୍ୟରେ ରୋହିତ ସେନା - ଭାରତ ବନାମ ନ୍ୟୁଜିଲାଣ୍ଡ

କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ର ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ମୁମ୍ବାଇର ୱାଙ୍ଖଡେ ଷ୍ଚାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଅଧିକ ପଢନ୍ତୁ

World Cup 2023
ଭାରତ ବନାମ ନ୍ୟୁଜିଲାଣ୍ଡ ସେମି ଟକ୍କର

By ETV Bharat Odisha Team

Published : Nov 15, 2023, 9:50 AM IST

ମୁମ୍ବାଇ: ସେହି ବିଶ୍ବକପ ସୁପର ଫାଇଟ । ସେହି ସମାନ ଦଳ । ସେଦିନ ଥିଲା 2019 ଆଜି 2023 । କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ର ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ମୁମ୍ବାଇର ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ଏହି ହାଇଭୋଲ୍ଟେଜ ମ୍ୟାଚ ଖେଳାଯିବ । ଚଳିତ ସଂସ୍କରଣରେ ଫୁଲ ଫର୍ମରେ ଥିବା ଭାରତ ଲିଗ ମ୍ୟାଚରେ ଅପରାଜେୟ ରହିଛି । 9ରୁ 9 ମ୍ୟାଚ କ୍ଲିନ ସୁପଇ କରିଛି ଟିମ୍ ଇଣ୍ଡିଆ । ଆଜି ୱାଙ୍ଖଡେରେ ଅପରାଜେୟ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ କଡ୍ଡା ସେମି ମୁକାବିଲା ଦେଖିବାକୁ ମିଳିବ । 2019ର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ରୋହିତ ସେନା ।

2019 ବିଶ୍ବକପ ସେମିଫାଇନାଲ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିଛି ଭାରତ । ଓଲ୍ଡ ଟ୍ରାଫୋର୍ଡର ପ୍ରତିଶୋଧ ୱାଙ୍ଖଡେରେ ନେବ ମ୍ୟାନ ଇନ୍ ବ୍ଲ୍ୟୁ । ଭାରତର ବ୍ୟାଟିଂ ବନାମ କିୱି ଦଳର ବୋଲିଂ ମଧ୍ୟରେ କଡ୍ଡା ଟକ୍କର ହେବ । ସେପଟେ ଲିଗ ମ୍ୟାଚରେ ଭାରତଠୁ ପରାସ୍ତ ହୋଇଥିବା ନ୍ୟୁଜିଲାଣ୍ଡ ୱାଙ୍ଖଡେରେ ଭାରତକୁ ପରାସ୍ତ କରିବାକୁ ପ୍ରୟାସ କରିବ ।

ଭାରତ ବନାମ ନ୍ୟୁଜିଲାଣ୍ଡ:2 ଥର ବିଶ୍ବ ବିଜୟୀ ଭାରତ ଓ କ୍ରମାଗତ 2 ଥର ରନର୍ସ ଅପ୍ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ବିଶ୍ବକପ ଲିଗ ମ୍ୟାଚରେ ଅପରାଜେୟ ରହିଛି ଭାରତ । ଅଷ୍ଟ୍ରେଲିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା କେହି ବି ଭାରତର ବିଜୟଧାରାରେ ବ୍ରେକ ଲାଗାଇ ପାରିନାହାନ୍ତି । ଆଜି ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ସେମି ଫାଇନାଲ ମ୍ୟାଚ ଖେଳିବ । ଏବେ ବି 140 କୋଟି ଭାରତୀୟ 2019 ବିଶ୍ବକପ ସେମି ଫାଇନାଲ ପରାଜୟ ଭୁଲିନାହିଁ । ଆଜି ଓଲ୍ଡ ଟ୍ରାଫୋର୍ଡର ପ୍ରତିଶୋଧ ୱାଙ୍ଖଡେରେ ନେବା ଲକ୍ଷ୍ୟରେ ରହିଛି ରୋହିତ ସେନା । ଧର୍ମଶାଳାରେ ଲିଗ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇଥିଲା ଭାରତ । ଆଜି ମଧ୍ୟ କିୱି ଦଳକୁ ମାତ ଦେବାକୁ ପ୍ରୟାସ କରିବ ରୋହିତ ଆଣ୍ଡ କୋ ।

ପୂର୍ବ ଅପେକ୍ଷା ଭାରତ ଦଳ ଏଥର ଯଥେଷ୍ଟ ସନ୍ତୁଳିତ ରହିଛି । ଉଭୟ ବିଭାଗରେ ଦଳର ପ୍ରଦର୍ଶନ ଭଲ ରହିଛି । ରୋହିତ, ଶୁଭମନ, କୋହଲି କେଏଲ ରାହୁଲ, ଶ୍ରେୟାସ ଆୟର ଫୁଲ ଫର୍ମରେ ରହିଛନ୍ତି । ଲିଗ ପର୍ଯ୍ୟାୟରେ ଲାଗାତାର 3ଟି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ଆୟର । ନେଦରଲାଣ୍ଡସ ବିପକ୍ଷରେ ରାହୁଲ ଓ ଆୟର ଦମଦାର ଶତକ ହାସଲ କରିଥିଲେ ଆଜି ମଧ୍ୟ ଉଭୟଙ୍କ ନିକଟରୁ ଭଲ ପ୍ରଦର୍ଶନ ଆଶା କରାଯାଉଛି । ସେହିପରି ଭାରତର ବୋଲିଂ ବିଭାଗ ଯଥେଷ୍ଟ ଶକ୍ତିଶଳୀ ଅଛି । ସାମି, ସିରାଜ, ବୁମରା, ଜାଡେଜା ଆଜି କିୱି ଦଳ ପାଇଁ ଘାତକ ସାବ୍ୟସ୍ତ ହେବେ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ବିଶ୍ବକପରେ ଅଣ୍ଡରଡଗ ଆଖ୍ୟା ପାଇଥିବା ନ୍ୟୁଜିଲାଣ୍ଡ ଦଳ ସେମି ଫାଇନାଲରେ ବାଜି ମାରିବାକୁ ଲକ୍ଷ୍ୟ ରଖିଛି । ଅଧିକ ରିସ୍କ ନେଇ ଖେଳ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ କିୱି ଦଳ । ଲିଗ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ 9ଟି ମ୍ୟାଚରୁ 5ଟି ଜିତି 10 ପଏଣ୍ଟ ହାସଲ କରିଥିଲା । ଚତୁର୍ଥ ଦଳ ଭାରେ ସେମି ଫାଇନାଲରେ ପ୍ରବେଶ କରିଥିଲା । ଦଳରେ ଭାରତୀୟ ବଂଶୋଦ୍ଭବ ଓପନର ରାଚିନ ରବିନ୍ଦ୍ର ଫୁଲ ଫର୍ମରେ ରହିଛନ୍ତି । ସେହିପରି ଡେଭନ କନୱେ, ଟମ ଲାଥମ, ଡାରିଲ ମିଚେଲଙ୍କ ପାଖରେ ଦ୍ରୁତ ରନ ସଂଗ୍ରହ କରିବା କ୍ଷମତା ରହିଛି । ବୋଲିଂରେ ଟ୍ରେମ୍ଟ ବୋଲ୍ଡ, ମିଚେଲ ସାଣ୍ଟନର ଓ ଲକି ଫର୍ଗୁସନ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରନ୍ତି ।

ହେଡ ଟୁ ହେଡ ଟକ୍କର: ବିଶ୍ବକପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୋଟ 10ଟି ମ୍ୟାଚ ଖେଳାଯାଇଛି । ଭାରତ 4ଟି ଜିତିଥିବା ବେଳେ ନ୍ୟୁଜିଲାଣ୍ଡ 5ଟି ଜିତିଛି । ୨୦୧୯ ବିଶ୍ବକପ୍‌ ଲିଗ୍‌ ପର୍ଯ୍ୟାୟ ମ୍ୟାଚ ବର୍ଷା କାରଣରୁ ଖେଳାଯାଇ ପାରିନଥିଲା । ଚଳିତ ବିଶ୍ବକପ୍‌ରେ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ୪ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ବିଶ୍ବକପ୍‌ ଇତିହାସରେ ଏପର୍ଯ୍ୟନ୍ତ ଭାରତ ୮ ସଂସ୍କରଣରେ ନ୍ୟୁଜିଲାଣ୍ଡକୁ ଭେଟିଛି । ଦୁଇ ଦଳ ମଧ୍ୟରେ 117ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଭାରତ 59ଟି ମ୍ୟାଚ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ 50ଟି ମ୍ୟାଚ ଜିତିଛି । ଗୋଟିଏ ମ୍ୟାଚ ଅମିମାଂସିତ ରହିଥିଲା । ବାକି 7ଟି ମ୍ୟାଚ ବାତିଲ ହୋଇଛି ।

ଏହା ବି ପଢନ୍ତୁ: ବିଶ୍ବକପ୍‌ ୨୦୨୩: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା, ଜାଣନ୍ତୁ ଆଗରେ କିଏ

ପିଚ୍ ରିପୋର୍ଟ:ୱାଙ୍ଖଡେ ପିଚ୍ ବ୍ୟାଟିଂ ପାଇଁ ଉପଯୋଗୀ । ଏଠାରେ ବିଶାଳ ସ୍କୋର ସଂଗୃହୀତ ହୋଇଛି । ଏହି ଗ୍ରାଉଣ୍ଡରେ ଲିଗ ପର୍ଯ୍ୟାୟରେ 4ଟି ମ୍ୟାଚରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ 3ଟି ମ୍ୟାଚ ଜିତିଛି । ଟସ୍ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବ । 2011ରେ ଏହି ଗ୍ରାଉଣ୍ଡରେ ଶ୍ରୀଲଙ୍କାକୁ ହରାଇ ଭାରତ ବିଶ୍ବବିଜୟୀ ହୋଇଥିଲା ।

ଭାରତୀୟ ସମ୍ଭାବ୍ୟ ଦଳ:ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ଲୋକେଶ ରାହୁଲ (ୱିକେଟକିପର), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, କୁଳଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ଦଳ:ଡେଭନ କନୱେ, ରାଚିନ ରବିନ୍ଦ୍ର, କେନ ୱିଲିୟମସନ (ଅଧିନାୟକ), ଡାରିଲ ମିଚେଲ, ଟମ ଲାଥମ (ୱିକେଟକିପର), ଗ୍ଲେନ ଫିଲିପ୍ସ, ମାର୍କ ଚାପମ୍ୟାନ, ମିଚେନ ସାଣ୍ଟନର, ଟିମ୍ ସାଉଦି, ଲକି ଫର୍ଗୁସନ ଓ ଟ୍ରେଣ୍ଡ ବୋଲ୍ଡ ।

ABOUT THE AUTHOR

...view details