ଧର୍ମଶାଳା:ଆଇସିସି କ୍ରିକେଟ୍ ବିଶ୍ବକପ୍ ୨୦୨୩ରେ ଆଜି (ରବିବାର) ଖେଳାଯାଉଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ କୁହୁଡ଼ି ଯୋଗୁଁ ଅଧାରୁ ଅଟକି ରହିଥିଲା । ଭାରତ ବ୍ୟାଟିଂ କରୁଥିବାବେଳେ ଇନିଂସର ୧୬ ତମ ଓଭରରେ ହଠାତ କୁହୁଡ଼ି ଆସି ମ୍ୟାଚ୍ରେ ବାଧକ ସାଜିଥିଲା । ହିମାଚଳ ପ୍ରଦେଶର ଧର୍ମଶାଳାରେ ଖେଳାଯାଉଥିବା ବିଶ୍ବକପ୍ର ୨୧ ତମ ମ୍ୟାଚ୍ କୁହୁଡ଼ି ଯୋଗୁଁ ଅଧାରୁ କିଛି ସମୟ ପାଇଁ ଅଟକି ରହିଥିଲା । ତେବେ କୁହୁଡ଼ି କମିବାରୁ ପୁଣିଥରେ ଖେଳ ଆରମ୍ଭ ହୋଇଛି ।
ସନ୍ଧ୍ୟା ୭.୩୪ ସମୟରେ କୁହୁଡ଼ି ଯୋଗୁଁ ମ୍ୟାଚ୍ ସ୍ଥଗିତ ହୋଇଥିଲା । ଏହି ସମୟରେ ଭାରତ ୧୫.୪ ଓଭର୍ରେ ୨ ୱିକେଟ ହରାଇ ୧୦୦ ରନ୍ କରିଥିଲା । ବିରାଟ କୋହଲି ୧୪ ବଲରେ ୭ ଓ ଶ୍ରେୟସ ଆୟର ୯ ବଲରେ ୨୧ ରନ କରି ବ୍ୟାଟିଂ କରୁଥିଲେ । ଏହି ସମୟରେ ହଠାତ କୁହୁଡ଼ି ମାଡ଼ି ଆସିଥିଲା । ଫଳରେ ୭.୪୦ ମିନିଟ୍ ସମୟରେ ଅମ୍ପାୟାର ବାଧ୍ୟ ହୋଇ ମ୍ୟାଚ୍କୁ ଅଧାରେ ଅଟକାଇଥିଲେ । କିନ୍ତୁ କିଛି ମିନିଟର ବ୍ୟବଧାନ ପରେ ମ୍ୟାଚ୍ ପୁଣି ଆରମ୍ଭ ହୋଇଥିଲା । ଏହି ସମୟରେ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (HPCA) ମିଡିଆ ମ୍ୟାନେଜର ମୋହିତ ସୁଦ୍ କହିଥିଲେ, "ଏହି ସମୟରେ ତାପମାତ୍ରା ୧୫ ଡିଗ୍ରୀକୁ ଖସି ଆସିଥିଲା । ଏହା ପାଣିପାଗ ସମ୍ବନ୍ଧୀୟ ଏବଂ ଏହା ହ୍ରାସ ହେବା ଉଚିତ ।" ତେବେ କିଛି ସମୟ ପରେ କୁହୁଡ଼ି କମ ହୋଇଥିଲା ଏବଂ ମ୍ୟାଚ୍ ପୁଣିଥରେ ଆରମ୍ଭ ହୋଇଥିଲା ।