ପୁଣେ: ମିଚେଲ୍ ମାର୍ଶଙ୍କ ବିସ୍ଫୋରଣରେ ଧରାଶାୟୀ ହେଲା ବାଂଲାଦେଶ । ମହାରାଷ୍ଟ୍ରର ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ବକପ୍ ୨୦୨୩ର ୪୩ତମ ମ୍ୟାଚ୍ରେ ବାଂଲାଦେଶକୁ ୮ ୱିକେଟରେ ହରାଇଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ତୋହିଦ ହ୍ରିଦୋୟଙ୍କ ୭୪ ରନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୬ ରନ କରିଥିଲା ବାଂଲାଦେଶ । ଜବାବରେ ମିଚେଲ୍ ମାର୍ଶ୍ଙ୍କ ଅପରାଜିତ ୧୭୭ ରନର ବିସ୍ଫୋରକ ପାଳି ବଳରେ ଧାର୍ଯ୍ୟ ୩୦୭ ରନ୍ର ଲକ୍ଷ୍ୟକୁ କେବଳ ୪୪.୪ ଓଭରରେ ୨ ୱିକେଟ ହରାଇ ହାସଲ କରିନେଇଛି ଅଷ୍ଟ୍ରେଲିଆ । ଅନ୍ୟମାନଙ୍କ ମଧ୍ୟରେ ଡେଭିଡ୍ ୱାର୍ଣ୍ଣର ୫୩ ଓ ଷ୍ଟିଭ୍ ସ୍ମିଥ୍ ଅପରାଜିତ ୬୩ ରନ ସଂଗ୍ରହ କରିଥିଲେ ।
ବାଂଲାଦେଶ ବ୍ୟାଟିଂ: ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ଦୁଇ ଓପନର ତାନଜିଦ୍ ହାସନ ଏବଂ ଲିଟନ ଦାସ ବାଂଲାଦେଶକୁ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍ ପାଇଁ ଉଭୟ ଦଳୀୟ ଖାତାରେ ୭୬ ରନ ଯୋଡ଼ିଥିଲେ । ତାନଜିଦ୍ ୪୩ ବଲରେ ୩୬ ରନ୍ କରି ଆଉଟ୍ ହୋଇଥିବା ବେଳେ ଲିଟନ ୪୫ ବଲରୁ ୩୬ ରନ୍ ସଂଗ୍ରହ କରିଥିଲେ । ଆହତ କାରଣରୁ ବିଶ୍ବକପ୍ରୁ ବାଦ ପଡ଼ିଥିବା ଶାକିବ୍ଙ୍କ ବଦଳରେ ଆଜି ଦଳର ନେତୃତ୍ବ ନେଉଥିବା ନାଜମୁଲ ହୋସେନ ଶାଣ୍ଟୋ ୫୭ ବଲ୍ରେ ୪୫ ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ହେଲେ ତୋହିଦ୍ ହ୍ରିଦୋୟ ୭୯ ବଲ୍ରେ ୫ ଚୌକା ଏବଂ ୨ ଛକା ସହାୟତାରେ ୭୪ ରନ୍ର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିଜ୍ଞ ମହମ୍ମଦୁଲ୍ଲା (୩୨)ଙ୍କୁ ଛାଡ଼ିଦେଲେ କୌଣସି ବ୍ୟାଟର ୩୦ ରନ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ବାଂଲାଦେଶ ୩୦୬ ରନ୍ କରିବାରେ ସକ୍ଷମ ହୋଇଥିଲା ।
ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ସେନ୍ ଆବଟ୍ ଓ ଆଡାମ ଜାମ୍ପା ଦଳକୁ ୨ଟି ଲେଖାଏଁ ସଫଳତା ଦେଇଥିଲେ । ମାର୍କସ ଷ୍ଟୋଇନିସ୍ ୫ ଓଭରରେ ଯଦିଓ ୪୫ ବହୁମୂଲ୍ୟ ରନ ବ୍ୟୟ କରିଥିଲେ, ହେଲେ ସେ ଗୋଟିଏ ୱିକେଟ୍ ମଧ୍ୟ ଅକ୍ତିଆର କରିଥିଲେ । ଅନ୍ୟ କୌଣସି ବୋଲର ଦଳକୁ ଆଶାନୁରୂପ ସଫଳତା ଦେଇପାରିନଥିଲେ ।