ପୁଣେ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ପୁଣେ ଷ୍ଟାଡିୟମରେ ଶନିବାର ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ ଓ ଅଷ୍ଟ୍ରେଲିଆ । ବିଶ୍ବକପ୍ ୨୦୨୩ର ୪୩ତମ ଲିଗ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି କରିଥିଲା । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୬ ରନ୍ର ଲଢ଼ୁଆ ସ୍କୋର କରିଛି । ଫଳରେ ଅଷ୍ଟ୍ରେଲିଆ ଆଗରେ ୩୦୭ ରନ୍ର ଟାର୍ଗେଟ୍ ରଖିଛି ବାଂଲାଦେଶ । ବାଂଲାଦେଶ ପକ୍ଷରୁ ତୋହିଦ୍ ହ୍ରିଦୋୟ ସର୍ବାଧିକ ୭୪ ରନର ପାଳି ଖେଳିଥିବାବେଳେ ଶାକିବ୍ ଅଲ୍ ହାସନଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ବ ନେଉଥିବା ନାଜମୋଲ ହୋସେନ ଶାଣ୍ଟୋଙ୍କ ୪୫ ରନ୍ର ପାଳି ଦ୍ବିତୀୟ ସର୍ବାଧିକ ଥିଲା ।
ବାଂଲାଦେଶ ବ୍ୟାଟିଂ: ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶର ଦୁଇ ଓପନର ତାନଜିଦ୍ ହାସନ ଏବଂ ଲିଟନ ଦାସ ଦଳକୁ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍ ପାଇଁ ଉଭୟ ଦଳୀୟ ଖାତାରେ ୭୬ ରନ ଯୋଡ଼ିଥିଲେ । ତାନଜିଦ୍ ୪୩ ବଲରେ ୩୬ ରନ୍ କରି ଆଉଟ୍ ହୋଇଥିବା ବେଳେ ଲିଟନ ୪୫ ବଲରୁ ୩୬ ରନ୍ ସଂଗ୍ରହ କରିଥିଲେ । ଆହତ କାରଣରୁ ବିଶ୍ବକପ୍ରୁ ବାଦ ପଡ଼ିଥିବା ଶାକିବ୍ଙ୍କ ବଦଳରେ ଆଜି ଦଳର ନେତୃତ୍ବ ନେଉଥିବା ନାଜମୁଲ ହୋସେନ ଶାଣ୍ଟୋ ୫୭ ବଲ୍ରେ ୪୫ ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ହେଲେ ତୋହିଦ୍ ହ୍ରିଦୋୟ ୭୯ ବଲ୍ରେ ୫ ଚୌକା ଏବଂ ୨ ଛକା ସହାୟତାରେ ୭୪ ରନ୍ର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିଜ୍ଞ ମହମ୍ମଦୁଲ୍ଲା (୩୨)ଙ୍କୁ ଛାଡ଼ିଦେଲେ କୌଣସି ବ୍ୟାଟର ୩୦ ରନ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ବାଂଲାଦେଶ ୩୦୬ ରନ୍ କରିବାରେ ସକ୍ଷମ ହୋଇଥିଲା ।