ମାଞ୍ଚେଷ୍ଟର: ବିଶ୍ବକପ ଳଢେଇରେ ଭାରତ ୱେଷ୍ଟଇଣ୍ଡିଜକୁ 125 ରନର ବଡ ବ୍ୟବଧାନରେ ହରାଇଛି । ବିଶ୍ବକପରେ ପୁଣି ଦେଖିବାକୁ ମିଳିଛି ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ବେଶୀସମୟ ତିଷ୍ଠି ପାରିନଥିଲେ କାରବିୟନ ବ୍ୟାଟ୍ସମ୍ୟାନ । ଫଳରେ ସଂପୂର୍ଣ୍ଣ 50 ଓଭର ଖେଳିବାକୁ ସକ୍ଷମ ହୋଇନଥିଲା ୱେଷ୍ଟଇଣ୍ଡିଜ । 34.2 ଓଭରରେ 143 ରନକରି ଅଲଆଉଟ ହୋଇଯାଇଥିଲା ୱେଷ୍ଟଇଣ୍ଡିଜ । ଦଳର 6 ଜଣ ବ୍ୟାଟ୍ସ ମ୍ୟାନ 2 ଅଙ୍କ ଛୁଇଁ ପାରିନଥିଲେ । ଚଳିତ ବିଶ୍ବକପରେ ଭାରତ ବିଜୟଧାରା ଜାରିରଖିବା ସହିତ, ଏକତରଫା ବିଜୟ ହାସଲ କରିଛି ।
269 ରନର ବିଜୟ ଲକ୍ଷ୍ୟକୁ ପିଛାକରିଥିଲା ୱେଷ୍ଟଇଣ୍ଡିଜ । ତେବେ ଦଳ ପକ୍ଷରୁ ସର୍ବାଧିକ 31ରନର ପାଳି ଖେଳିଥିଲେ ସୁନିଲ ଆମ୍ବ୍ରିସ । ନିକୋଲାସ ପୂରନ 50 ବଲରୁ ମାତ୍ର 28 ରନ କରି ଆଉଟ ହୋଇଥିଲେ । ସିମ୍ରନ ହେଟମେୟର ମାତ୍ର 18 ରନ କରିପାରିଥିଲେ ।
କ୍ରିସ ଗେଲ ପୁଣି ଫେଲ ମାରିଥିଲେ । ପୂର୍ବ ମ୍ୟାଚରେ ଯେଉଁଠି ଶେଷ କରିଥିଲେ ସେହିଠାରୁ ଆରମ୍ଭ କରିଥିଲେ ସାମି । ଦଳୀୟ ସ୍କୋର ମାତ୍ର 10 ରନ ଥିବାବେଳେ ଗେଲଙ୍କୁ ପ୍ରଥମ ଶୀକାର କରିଥିଲେ ସାମି । 6.2 ଓଭର ବୋଲିଂ କରି ସାମି ମାତ୍ର 16 ରନ ବ୍ୟୟ କରି 4ଟି ୱିକେଟ ଅକ୍ତିଆର କରିଥିଲେ ସାମି । ବୁମ୍ରା ପୁଣି ଲଗାତାର 2ଟି ବଲରେ 2ଟି ୱିକେଟ ନେଇ ଅଳ୍ପକେ ହାଟ୍ରିକରୁ ବଞ୍ଚିତ ହୋଇଥିଲେ । ଚହଲ 2ଟି ନେଇଥିବା ବେଳେ ଓ କୁଲଦୀପ, ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଭାରତ 268 ରନ କରିଥିଲା । କ୍ୟାପଟେନ କୋହଲି ଚଳିତ ବିଶ୍ବକପରେ କ୍ରମାଗତ 4ର୍ଥ 50ରୁ ଉର୍ଧ୍ବ ସ୍କୋର କରିଥିଲେ । 82 ବଲରୁ 8 ଚୌକା ସହାୟତାରେ 72ରନର ଗୁରୁତ୍ତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ କୋହଲି । ଏହାସହ ସବୁଠୁ କମ ମ୍ୟାଚରେ ସଚିନଙ୍କୁ ପଛରେ ପକାଇ 20ହଜାର ରନ ସଂଗ୍ରହ କରିଛନ୍ତି । ଧୋନୀଙ୍କୁ ପୁଣି ଥରେ ପୁରୁଣା ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଶେଷ ଯାଏଁ ଅପରାଜିତ ରହି 56 ରନର ଅର୍ଧଶତକୀୟ ପାଳି ଖେଳିଥିଲେ ଧୋନୀ । ଶେଷ ବଲରେ ଛକା ମାରି ଭାରତର ସ୍କୋରକୁ 268ର ପହଞ୍ଚାଇଥିଲେ ଧୋନୀ । ପୁଣିଥରେ ଶ୍ରେଷ୍ଠ ଫିନିସର ଭାବେ ନିଜକୁ ପ୍ରମାଣିତ କରିଥିଲେ । ଏହି ବିଜୟ ସହ ଭାରତ 6 ମ୍ୟାଚରୁ 5ବିଜୟ ସହିତ 11ପଏଣ୍ଟ ସହ ପଏଣ୍ଟ ଟେବୁଲର 2ୟ ସ୍ଥାନରେ ପହଞ୍ଚିଛି । ଓ ସେମିଫାଇନାଲ ପ୍ରବେଶ ଦ୍ବାରରେ ପହଞ୍ଚିଛି । କ୍ୟାପଟେନ ବିରାଟ କୋହଲି ଦମଦାର ପାଳି ପାଇଁ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ।