ନୂଆଦିଲ୍ଲୀ: 2019 କ୍ୟାଲେଣ୍ଡର ବର୍ଷ ଶେଷ ହେବାକୁ ଯାଉଛି। ଏହି ବର୍ଷରେ ଦେଶର ଅନେକ କ୍ରୀଡାବିତ ନିଜ ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ବ୍ୟାଡମିଣ୍ଟନ, ସୁଟିଂ, ବକ୍ସିଂ ଓ କ୍ରିକେଟରେ ଅନେକ ସ୍ମରଣୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଦେଶର ଖେଳାଳି।
ନଜର ପକାନ୍ତୁ ଏମିତି କିଛି ସ୍ମରଣୀୟ ପ୍ରଦର୍ଶନ ଉପରେ ଯାହାକୁ ନେଇ, ସାରା ଦେଶ ଗୌରବାନ୍ନିତ ହୋଇଛି...
ବି ସାଇ ପ୍ରଣୀତ
ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନପିସରେ ଦୀର୍ଘ 36 ବର୍ଷ ପ୍ରତୀକ୍ଷାର ଅନ୍ତ ହୋଇଥିଲା ବର୍ଷ 2019ରେ । 27 ବର୍ଷୀୟ ସାଇପ୍ରଣୀତ BWF ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ବ୍ରୋଞ୍ଜ ବିଜେତା ହୋଇଥିଲେ। ପୂର୍ବରୁ ବର୍ଷ 1983ରେ ପ୍ରକାଶ ପାଦୁକୋନ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ସାଇପ୍ରଣୀତ ଇଣ୍ଡୋନେସିଆର ଜୋନାଥନ କ୍ରୀଷ୍ଟଙ୍କୁ କ୍ବାର୍ଟର ଫାଇନାଲ ମୁକାବିଲାରେ, 24-22, 21-14 ସେଟରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ। ସେମିରେ ଜାପାନର ବିଶ୍ବ ମାନ୍ୟତାର ନଂ1 ସର୍ଟଲର କେଣ୍ଟୋ ମୋମତାଙ୍କ ଠାରୁ, 13-21 ଓ 8-21 ସେଟରେ ପରାଜିତ ହୋଇଥିଲେ ସାଇପ୍ରଣୀତ।
ଫଳରେ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଏଥିସହିତ ସମ୍ମାନଜନକ ସ୍ବିସ ଓପନ ବ୍ୟାଡମିଣ୍ଟନ ଟୁର୍ଣାମେଣ୍ଟରେ ରନର୍ସ-ଅପ ହୋଇଥିଲେ। ହାଇଦ୍ରାବାଦର ଏହି ଯୁବ ବ୍ୟାଡମିଣ୍ଟନ ଖେଳାଳିଙ୍କୁ 2019 ବର୍ଷରେ ଭାରତ ସରକାରଙ୍କ ପକ୍ଷରୁ କ୍ରୀଡାକ୍ଷେତ୍ରର ସମ୍ମାନଜନକ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
ସାତ୍ତ୍ବିକ ସାଇରାଜ ରେଙ୍କିରେଡ୍ଡି-ଚିରାଗ ସେଟ୍ଟି
ବର୍ଷର ମଧ୍ୟ ଭାଗରେ ସାତ୍ତ୍ବିକ ସାଇରାଜ-ଚିରାଗ ଯୋଡି ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସ ବର୍ଗରେ ଇତିହାସ ରଚିଥିଲେ । 4 ଅଗଷ୍ଟରେ ଥାଇଲାଣ୍ଡ ଓପନ BWF ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବିଜୟୀ ହୋଇଥିଲେ ଏହି ଯୋଡି। ପ୍ରତିପକ୍ଷ ବିଶ୍ବ ଚମ୍ପିଆନ ଚାଇନାର ଲି ଜୁନ ହୁଇ ଓ ଲିଉ ୟୁ ୟୁଙ୍କୁ 21-19,18-21 ଓ 21-18 ସେଟରେ ପରାସ୍ତ କରିଥିଲେ ସାତ୍ତ୍ବିକ ସାଇରାଜ-ଚିରାଗ ଯୋଡି।
ଭାରତୀୟ ବ୍ୟାଡମିଣ୍ଟନ ଇତିହାସରେ ସୁପର 500 ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ସମ୍ମାନଜନକ ଡବଲ୍ସ ଟାଇଟେଲ ଜିତିଥିଲା ଭାରତ। ଏହାପରେ 2ଖେଳାଳି ବିଶ୍ବ ମାନ୍ୟତାରେ ଶ୍ରେଷ୍ଠ 10 ଯୋଡିଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଏହି ମାନ୍ୟତା ଡବଲ୍ସରେ ଭାରତୀୟ ଯୋଡିଙ୍କ ପାଇଁ ସର୍ବଶେଷ୍ଠ ମାନ୍ୟତା ରହିଥିଲା।
2018 ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଜକ ବିଜୟୀ ହୋଇଥିବା ଏହି ଯୋଡି, 2029 ବର୍ଷତମାମ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିଲେ । 27 ଅକ୍ଟୋବରରେ ସାତ୍ତ୍ବିକ ସାଇରାଜ-ଚିରାଗ ସେଟ୍ଟି ଯୋଡି ଫ୍ରେଞ୍ଚ ଓପନ ସୁପର 750 ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପରାଜିତ ହୋଇଥିଲେ । ଇଣ୍ଡୋନେସିଆର ମାର୍କସ ଫର୍ଣ୍ଣାଲଡି ଜିଡନ ଓକେଭିନ ସଞ୍ଜୟ ସୁକାମୁଲଜିଓଙ୍କ ଠାରୁ 18-21, 16-21 ସେଟରେ ପରାଜିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ।
ଅମିତ ପଙ୍ଘଲ
ବକ୍ସିଂ ପାଇଁ ମଧ୍ୟ ବର୍ଷ 2019 ବେଶ ସଫଳତମ ରହିଥିଲା । ପ୍ରଥମ ପୁରୁଷ ଭାରତୀୟ ବକ୍ସର ଭାବେ ବିଶ୍ବ ବକ୍ସିଂ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଥିଲେ ଅମିତ ପଙ୍ଘଲ । ସେପ୍ଟେମ୍ବର ମାସରେ ରୁଷିଆରେ ଖେଳାଯାଇଥିଲା,ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ । 52 କିଲୋଗ୍ରାମ ବର୍ଗରେ ଉଜବେକିସ୍ତାନର ଅଲମ୍ପିକ ଚମ୍ପିଆନ ସାଖୋବିଦିନ ଜୋଇରଭଙ୍କୁ ଠାରୁ ଫାଇନାଲ ମୁକାବିଲାରେ ପରାସ୍ତ ହୋଇଥିଲେ ଅମିତ।
ଏହାପରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ବିଜେତା ମନିଷ କୌଶିକ 63 କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ବିଶ୍ବ ବକ୍ସିଂ ଚମ୍ପିଆନସିପରେ ଏହାଥିଲା ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ। ପୂର୍ବରୁ ବର୍ଷ 2009ରେ ବିଜେନ୍ଦର ସିଂହ, 2011ରେ ବିକାଶ କ୍ରିଶନ, 2015ରେ ଶିବା ଥାପା ଓ 2017ରେ ଗୌରଭ ବିଦୁରୀ ପଦକ ବିଜେତା ରହିଛନ୍ତି ।