ହାଇଦ୍ରାବାଦ: ଶନିବାର ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏକ ଷ୍ଟେଟମେଣ୍ଟ ଜାରି କରିଛି । ଏଥିରେ କୁହାଯାଇଛି ଯେ, ଯଦି ଭାରତ ଏସିଆ କପ କ୍ରିକେଟରେ ଭାଗନନିଏ, ତେବେ ପାକିସ୍ତାନ 2021 ଟି-20 ବିଶ୍ବକପ ଖେଳିବ ନାହିଁ। ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନରେ ଏସିଆ କପ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ତେବେ ଏଥିରେ ଭାରତ ଅଂଶଗ୍ରହଣ କରିବାକୁ ଅମଙ୍ଗ ହେଉଛି । ଯାହାକୁ ନେଇ ପାକିସ୍ତାନ ଏବେ ଆଇସିସିକୁ ବ୍ଲାକମେଲିଂ କରିବାକୁ ଆରମ୍କ୍ଭ କରିଦେଲାଣି ।
ସୂଚନା ଯୋଗ୍ୟ, ଚଳିତ ବର୍ଷ ସେପ୍ଟେମ୍ବରରେ ଏସିଆ କପ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଆୟୋଜିତ ହେବାକୁ ଥିବା ବେଳେ ବିସିସିଆଇ ଆରମ୍ଭରୁ ସ୍ପଷ୍ଟ କରିଛି ଯେ, ଭାରତ ମ୍ୟାଚ ଖେଳିବାକୁ ପାକିସ୍ତାନ ଯିବ ନାହିଁ । ପାକିସ୍ତାନ କ୍ରିକେଟ ବୋର୍ଡର ସିଇଓ ୱସିମ ଖାନ ଧମକ ଦେଇ କହିଛନ୍ତି ଯେ ଯଦି ଭାରତ ଏସିଆ କପ ଖେଳିବାକୁ ନ ଆସେ ତେବେ ପାକିସ୍ତାନ ମଧ୍ୟ ଟି-20 ବିଶ୍ବକପ ଖେଳିବ ନାହିଁ । ତେବେ ଏହାପରେ ଏସିଆ କପର ଆୟୋଜନ ସ୍ଥାନ ପରିବର୍ତ୍ତନ କରାଯିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ପିସିବି ସିଇଓ ଏହାକୁ ଖଣ୍ଡନ କରିଛନ୍ତି ।
ତେବେ ଚର୍ଚ୍ଚା ଏମିତି ବି ହେଉଥିଲା ଯେ ବାଂଲାଦେଶ କ୍ରିକେଟ ବୋର୍ଡ ନିଜ ଟିମକୁ ଟି-20 ଓ ଦୁଇଟି ଟେଷ୍ଟ ଖେଳିବା ପାଇଁ ପାକିସ୍ତାନ ପଠାଇବାକୁ ସମ୍ମତି ଜଣାଇବା ପରେ ପାକିସ୍ତାନ ବିସିବିକୁ ଆୟୋଜକ ହେବାର ଅଧିକାର ଦେଇ ଦେଇଛି । ସେପଟେ ୱସିମ କହିଛନ୍ତି ଯେ, ଆୟୋଜନ ସ୍ଥଳ ବଦଳାଇବା ପିସିବି କିମ୍ବା ଆଇସିସିର ବିଶେଷାଧିକାର ନୁହେଁ । ମ୍ୟାଚ କେଉଁଠି ହେବ ସେନେଇ ଏସିଆନ କ୍ରିକେଟ କାଉନସିଲ ହିଁ ନିଷ୍ପତ୍ତି ନେବ ।