ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣରେ ଭାରତର 40ରୁ ଅଧିକ ଯବାନ ଶହୀଦ ହେବା ପରେ ସାରା ଦେଶରେ ଜଳୁଛି ପ୍ରତିଶୋଧର ନିଆଁ । ପାକିସ୍ତାନକୁ ଏକଘରକିଆ କରିବା ପାଇଁ ସାଧାରଣ ଜନତା ଦାବି କରୁଥିବାବେଳେ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । କୂଟନୀତିଠାରୁ ଆରମ୍ଭ କରି ସିନେମା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପାକିସ୍ତାନ ସହ ସମ୍ପର୍କ ଛିନ୍ନ କରିଛନ୍ତି ଭାରତ ସରକାର । ଏହିକ୍ରମରେ ପାକ୍ ସହ କ୍ରିକେଟ ନ ଖେଳିବା ପାଇଁ ସବୁ ମହଲରେ ଦାବି ଉଠୁଛି ।
ରିପୋର୍ଟ ଅନୁସାରେ ଆସନ୍ତା ଜୁନରେ ଇଂଲଣ୍ଡରେ ଦିନିକିଆ ବିଶ୍ୱକପ ଖେଳାଯିବ । ଏଥିରେ ଜୁନ 16ରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବା ନେଇ ନିର୍ଦ୍ଧାରିତ ହୋଇଛି । ତେବେ ପାକିସ୍ତାନ ବିପକ୍ଷରେ ଏହି ମ୍ୟାଚ ନ ଖେଳିବା ପାଇଁ ଭାରତରେ ଦାବି ହୋଇଛି । ରାଜନେତାଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଏହି ଦାବି କରିଛନ୍ତି । ଏହାସହ ଏଥିରେ ମଧ୍ୟ ପୂର୍ବତନ ଭାରତୀୟ ଖେଳାଳି ସାମିଲ ହୋଇଛନ୍ତି । ତେବେ ପାକିସ୍ତାନ ସହ ମ୍ୟାଚ ଖେଳିବା ନେଇ ଭାରତୀୟ କ୍ରିକେଟ ସମୁଦାୟ ଦୁଇ ଭାଗ ହୋଇଛନ୍ତି । ଆସନ୍ତୁ ନଜର ପକାଇବା ଏହି ପ୍ରସଙ୍ଗ ଉପରେ କିଏ କଣ ମତ ଦେଇଛନ୍ତି ।
ପୂର୍ବତନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସେକ୍ରେଟାରୀ ସଞ୍ଜୟ ପାଟିଲ ପାକିସ୍ତାନ ସହ ମ୍ୟାଚ ବାତିଲ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ ଆମେ ଆମ ଯବାନ ଭାଇଙ୍କୁ ହରାଇଛୁ । ଏପରି କାପୁରୁଷ କାର୍ଯ୍ୟକୁ ଆମେ ବିରୋଧ କରିବା ସହ ଆଗାମୀ ବିଶ୍ୱକପରେ ପାକ୍ ବିପକ୍ଷ ମ୍ୟାଚକୁ ବାତିଲ ପାଇଁ ଦାବି କରୁଛୁ । ପୂର୍ବତନ ଭାରତୀୟ ଅଲରାଉଣ୍ଡର ତଥା ଉତ୍ତର ପ୍ରଦେଶ ମନ୍ତ୍ରୀ ଚେତନ ଚୌହାନ କହିଛନ୍ତି ଯେ ପାକିସ୍ତାନ ସହ ମ୍ୟାଚ ବାତିଲ କରିବା ଏତେ ସହଜ ନୁହେଁ । କ୍ରିକେଟରେ ଥିବା ନିୟମ ଅନୁସାରେ ହୁଏତ ଭାରତକୁ ଏଥିପାଇଁ ଫାଇନ ଦେବାକୁ ପଡିପାରେ ଅଥବା ବିଶ୍ୱକପରୁ ବ୍ୟାନ ହୋଇପାରେ ବୋଲି ସେ ସତର୍କ କରାଇଛନ୍ତି ।
ଆଇପିଏଲ ଚେୟାରମ୍ୟାନ ରାଜୀବ ଶୁକ୍ଳା ମଧ୍ୟ କହିଛନ୍ତି ଯେ ଭାରତ ସରକାରଙ୍କ ନିଷ୍ପତ୍ତି ବିନା ମ୍ୟାଚ ବାତିଲ କରିବା ଅସମ୍ଭବ । ତେବେ ଭାରତୀୟ ଅଫସ୍ପିନର ହରଭଜନ ସିଂହ କହିଛନ୍ତି ଯେ କ୍ରିକେଟ ଆଗରୁ ଆମ ପାଇଁ ଦେଶ ପ୍ରଥମ । ତେଣୁ ଟୁର୍ଣ୍ଣାମେଣ୍ଟରେ 2 ପଏଣ୍ଟ ନ ମିଳୁ ପଛେ କିନ୍ତୁ ପାକିସ୍ତାନ ସହ ମ୍ୟାଚ ଖେଳିବା ଉଚିତ ନୁହେଁ । ଭଜିଙ୍କ ସହ ସ୍ୱର ମିଳାଇଛନ୍ତି ପୂର୍ବତନ ଖେଳାଳି ଭିଭିଏସ ଲକ୍ଷ୍ମଣ । ଆତଙ୍କବାଦୀକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ସହ ମ୍ୟାଚ ବର୍ଜନ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି ।