ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2020କୁ 16 ଦିନ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ 29 ତାରିଖରେ ଆରମ୍ଭ ହେବାକୁ ଥିବା ଏହି ମେଗା ଇଭେଣ୍ଟ ଏପ୍ରିଲ 15 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସେହିପରି ଶନିବାର ବସିଥିବା ଆଇପିଏଲ ପରିଷଦ ବୈଠକରେ ମଧ୍ୟ ଆଗାମୀ ଦିନରେ ମେଗା ଇଭେଣ୍ଟର ଆୟୋଜନ ନେଇ କୌଣସି ସ୍ଥିର ନିଷ୍ପତି ନିଆଯାଇ ପାରିନାହିଁ । ଏବେ ପ୍ରଶ୍ନ ଉଠୁଛି, ଯଦି ଆଇପିଏଲ ବାତିଲ ହୁଏ ତେବେ ଏମ.ଏସ ଧୋନି ଟିମ୍ ଇଣ୍ଡିଆକୁ କିପରି ପ୍ରତ୍ୟାବର୍ତ୍ତନ କରିବେ ?
କିଛି କ୍ରିକେଟ ବିଶେଷଜ୍ଞମାନେ କହିଛନ୍ତି ଯେ କ୍ରିକେଟ୍ ବାର୍ଷିକ କ୍ୟାଲେଣ୍ଡରରେ ଆଇପିଏଲ୍ ଆବଶ୍ୟକ କରୁଥିବା ଛଅରୁ ସାତ ସପ୍ତାହର କାର୍ଯ୍ୟସୂଚୀ ଆଉ ସ୍ପଷ୍ଟ ରହିବ ନାହିଁ । ଆହୁରି ମଧ୍ୟ ଭିସା ପ୍ରତିବନ୍ଧକ ଯୋଗୁଁ ଏପ୍ରିଲ 15 ପର୍ଯ୍ୟନ୍ତ କୌଣସି ବିଦେଶୀ ଖେଳାଳି ଉପଲବ୍ଧ ହେବେ ନାହିଁ । ଏପରି ସ୍ଥଳରେ ସମ୍ପୂର୍ଣ୍ଣ ଭାବେ ଆଇପିଏଲ ବାତିଲ ହେବା ନେଇ ଆଶଙ୍କାରେ କ୍ରିକେଟ ପ୍ରେମୀ । ତେବେ ଆଇପିଏଲ ବାତିଲ ସତେ ଯେମିତି ଧୋନିଙ୍କ କ୍ୟାରିଅର ଉପରେ ଖଣ୍ଡା ଝୁଲାଇ ଦେଇଛି । କାରଣ ସୁନୀଲ ଯୋଶୀଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆର ନୂତନ ଚୟନ ପ୍ୟାନେଲ୍ ପୂର୍ବରୁ କହିସାରିଛି ଯେ, ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନିଙ୍କ ଟି-20 ବିଶ୍ବକପ ଚୟନ କେବଳ ଆଗାମୀ ଆଇପିଏଲ ପ୍ରଦର୍ଶନ ଉପରେ ହିଁ ନିର୍ଭର କରୁଛି । ଏପରିକି ଯୋଶୀଙ୍କ ପୂର୍ବରୁ ଥିବା ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ସ୍ପଷ୍ଟ କରିଥିଲେ ଯେ, ଦଳ ଧୋନିଙ୍କଠାରୁ ଆଗକୁ ବଢି ସାରଛି ଏବଂ ଚୟନ ପାଇଁ ତାଙ୍କୁ ପ୍ରଥମେ ଖେଳିବାକୁ ପଡ଼ିବ । ଯଦି ତାଙ୍କର ଆଇପିଏଲ ପ୍ରଦର୍ଶନ ଭଲ ରହେ, ତେବେ ଧୋନିଙ୍କୁ ପୁନଃର୍ବାର ହିସାବକୁ ନିଆଯିବ ।